Shodasha Upachara Puja: ଶକ୍ତିପୀଠରେ ଆରମ୍ଭ ଶାରଦୀୟ ପାର୍ବଣ, ୧୬ ଦିନ ଚାଲିବ ଷୋଡ଼ଶ ଉପଚାର
ମୂଳାଷ୍ଟମୀରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ, ଷୋଡ଼ଶ ଉପଚାରରେ ପୂଜା ପାଉଛନ୍ତି ମା’। କାକଟପୁର, କଟକ ଓ ପୁରୀରେ ସ୍ୱତନ୍ତ୍ର ନୀତିକାନ୍ତି।
ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ବିଶେଷ ନୀତିକାନ୍ତି। ପବିତ୍ର ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଥିବା ଷୋଡ଼ଶ ଉପଚାର ପୂଜା ବିଜୟା ଦଶମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ। ଏଥିପାଇଁ ବିଭିନ୍ନ ଶକ୍ତିପୀଠ ଚଣ୍ଡୀପାଠ, ହୁଳହୁଳି ଓ ଘଣ୍ଟଶଙ୍ଖର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି।
ମା’ ମଙ୍ଗଳା ପୀଠରେ ଆରମ୍ଭ ହେଲା ପାର୍ବଣ ପୂଜା
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମୂଳାଷ୍ଟମୀରୁ ସ୍ୱତନ୍ତ୍ର ରୀତିନୀତିରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ମନ୍ଦିର ପରିସରର କୂଅରୁ ୧୦୮ ଗରା ସୁବାସିତ ଜଳ ଆଣି ମା’ଙ୍କ ସ୍ନାନ ନୀତି ସମ୍ପନ୍ନ କରାଯାଇଛି। ଏହାପରେ ବିଧିବିଧାନ ଅନୁସାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ବର୍ଷ ତମାମ ପଞ୍ଚୋପଚାରରେ ପୂଜା ପାଉଥିବା ମା’ ମଙ୍ଗଳା ପାର୍ବଣ ସମୟରେ ୧୬ ଦିନ ଧରି ଷୋଡ଼ଶ ଉପଚାରରେ ପୂଜା ପାଇଥାନ୍ତି। ଏହି ସମୟରେ ମା’ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ମା’ କଟକ ଚଣ୍ଡୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ଉପଚାର
କଟକର ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ନଦୀକୂଳରେ ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ପବିତ୍ର ଜଳ ଆଣି ମନ୍ଦିରରେ ଘଟସ୍ଥାପନ କରାଯାଇଛି। ମୂଳାଷ୍ଟମୀ ଅବସରରେ ମା’ କଟକ ଚଣ୍ଡୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଆସନ୍ତାକାଲି ମା’ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେବେ। ସେହିପରି ଗଡ଼ଚଣ୍ଡୀ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ବିଜୟା ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ମା’ଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ।
ପୁରୀର ଶକ୍ତିପୀଠରେ ଆରମ୍ଭ ୧୬ ଦିନାତ୍ମକ ପୂଜା
ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଶକ୍ତିପୀଠରେ ମଧ୍ୟ ଆରମ୍ଭ ହୋଇଛି ୧୬ ଦିନାତ୍ମକ ପାର୍ବଣ ପୂଜା। ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ବିଧି ଅନୁସାରେ ପ୍ରାୟ ୨୧ ଜଣ ସ୍ରୋତୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରାଯାଇଛି। ଶ୍ରୀମନ୍ଦିରରେ ମୂଳାଷ୍ଟମୀ ଅବସରରେ ସହସ୍ର କୁମ୍ଭାଭିଷେକ ସହ ଦୁର୍ଗାମାଧବ ଉପାସନାର ବିଧି ମଧ୍ୟ ଆରମ୍ଭ ହୋଇଛି। ମା’ ବିମଳାଙ୍କ ସମେତ ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଅଲାମଚଣ୍ଡୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ ହୋଇଛି।
ବେଶ ଓ ନୀତିକାନ୍ତିକୁ ନେଇ ଭକ୍ତଙ୍କ ଉତ୍ସାହ
ଶକ୍ତିପୀଠଗୁଡ଼ିକରେ ପାର୍ବଣ ପୂଜା ଆରମ୍ଭ ହେବା ସହ ଦେବୀଙ୍କ ବିଭିନ୍ନ ବେଶ ଓ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ଭକ୍ତଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଆଗାମୀ ଦିନରେ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଉଛି।
