Kotia Soil Oath: ବିଧାନସଭାରେ କୋଟିଆ ମାଟି ରଖି ଶପଥ ନେବୁ, କୋଟିଆ ପାଇଁ ଲଢ଼ିବୁ: ତାରା
କୋଟିଆର ମାଟି ଆଣି ବିଧାନସଭାରେ ଶପଥ ନେବାକୁ ଆହ୍ୱାନ ଦେଲେ ତାରା ବାହିନୀପତି। କୋଟିଆ ସୁରକ୍ଷା ପାଇଁ ସବୁ ଦଳକୁ ଏକାଠି ହେବାକୁ ଅପିଲ୍ କଲେ ବିଧାୟକ।
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ଭାବପ୍ରବଣ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କୋଟିଆର ସୁରକ୍ଷା ପାଇଁ ସବୁ ରାଜନୈତିକ ଦଳ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। କୋରାପୁଟ ଓ କୋଟିଆ ଗସ୍ତ କରି ସେଠାରୁ ମାଟି ଆଣି ବିଧାନସଭାରେ ବାଚସ୍ପତିଙ୍କ ନିକଟରେ ରଖି ଶପଥ ନେବାକୁ କହିଛନ୍ତି ତାରା। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ତାରା କହିଛନ୍ତି, କୋଟିଆ ଓଡ଼ିଶାର। ଏହାର ସୁରକ୍ଷା ପାଇଁ କେବଳ ଗୋଟିଏ ଦଳ ନୁହେଁ, ସମସ୍ତ ରାଜନୈତିକ ଦଳ ଏକଜୁଟ ହେବା ଦରକାର। କୋଟିଆ ପାଇଁ ହେବାକୁ ଥିବା ମିଳିତ ଲଢ଼େଇରେ କଂଗ୍ରେସ ସମ୍ପୂର୍ଣ୍ଣ ସହଯୋଗ କରିବ। କୋଟିଆବାସୀ ଆଉ କେତେଦିନ ଧୈର୍ଯ୍ୟ ଧରିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହାସହ କୋଟିଆ ବିବାଦର ସମାଧାନ ପାଇଁ ବିଜେପି ନେତୃତ୍ୱ ନେବାକୁ ତାରା ଦାବି କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର, ଓଡ଼ିଶାରେ ବିଜେପି ସରକାର ଏବଂ ଆନ୍ଧ୍ରପ୍ରଦେଶରେ ବିଜେପିର ସହଯୋଗୀ ମେଣ୍ଟ ସରକାର ରହିଛି। ତେଣୁ ଏହି ବିବାଦର ସମାଧାନ ପାଇଁ ବିଜେପି ଆଗକୁ ଆସିବା ଉଚିତ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ନେତୃତ୍ୱ ନେବା ସହ ମୁଖ୍ୟମନ୍ତ୍ରୀ, ସାଂସଦ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। କୋଟିଆ ଓଡ଼ିଶାର ବୋଲି ପ୍ରମାଣ ଉପସ୍ଥାପନ କରିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି ତାରା ସ୍ପଷ୍ଟ କରିଛନ୍ତି।
