ପଞ୍ଚୁକରେ ଧବଳେଶ୍ୱର ଯିବା ହେବ ସହଜ, KNBTରୁ ଆରମ୍ଭ ହେଲା ସ୍ୱତନ୍ତ୍ର ‘ଆମ ବସ୍’ ସେବା
ପଞ୍ଚୁକ ଓ ବଡ଼ଓଷା ପାଇଁ ଧବଳେଶ୍ୱର ଯାଉଥିବା ଭକ୍ତଙ୍କ ପାଇଁ ଖୁସି ଖବର। କଟକ KNBTରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଆମ ବସ୍ ସଟଲ୍ ସେବା।

ଭୁବନେଶ୍ୱର: ପଞ୍ଚୁକ, ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଶ୍ରୀ ଧବଳେଶ୍ୱର ପୀଠକୁ ଯିବା ହେବ ଆହୁରି ସହଜ ଓ ସୁବିଧାଜନକ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କ୍ରୁଟ୍ (CRUT) ପକ୍ଷରୁ କଟକ ନେତାଜୀ ବସ୍ ଟର୍ମିନାଲ୍ (KNBT)ରୁ ଧବଳେଶ୍ୱର ପୀଠ ପର୍ଯ୍ୟନ୍ତ ସ୍ୱତନ୍ତ୍ର ‘ଆମ ବସ୍’ ସଟଲ୍ ସେବା ଆରମ୍ଭ ହୋଇଛି। ନଭେମ୍ବର ୨୧, ୨୦୨୬ରୁ ଏହି ସେବା ଉପଲବ୍ଧ ହୋଇଛି। ପାର୍ବଣ ସମୟରେ ଧବଳେଶ୍ୱର ପୀଠକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ। ଏହି ସମୟରେ ଯାତାୟାତ ଓ ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ପାଇଁ କ୍ରୁଟ୍ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ପୂର୍ବରୁ ରୁଟ୍ ନମ୍ବର ୮୩ ମାଧ୍ୟମରେ କନ୍ଦରପୁରରୁ ଧବଳେଶ୍ୱର ପୀଠକୁ ନିୟମିତ ବସ୍ ସେବା ରହିଥିବା ବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ସିଧାସଳଖ ସ୍ୱତନ୍ତ୍ର ସଟଲ୍ ସେବା ଆରମ୍ଭ କରାଯାଇଛି। ଏହି ବସ୍ ସେବା ଯାତ୍ରୀଙ୍କ ଚାହିଦା ଅନୁସାରେ ଚଳାଚଳ କରିବ। ଅର୍ଥାତ୍ ଯାତ୍ରୀଙ୍କ ଭିଡ଼ ଓ ଆବଶ୍ୟକତାକୁ ଦେଖି ବସ୍ ଚଳାଚଳର ବ୍ୟବଧାନ ନିର୍ଦ୍ଧାରଣ କରାଯିବ। ଫଳରେ ଯାତ୍ରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ଦିନସାରା ବସ୍ ସେବା ମିଳିପାରିବ। ଏହି ବ୍ୟବସ୍ଥା ଦ୍ୱାରା ବୟସ୍କ, ମହିଳା ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ବିଶେଷ ଭାବେ ଉପକୃତ ହେବେ। ଏହାସହ ଧବଳେଶ୍ୱର ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଚାପ ହ୍ରାସ ପାଇବା ସହ ପରିବେଶ ଅନୁକୂଳ ଯାତାୟାତକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
