odisha vigilance arrests:ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଟଙ୍କା ହଡ଼ପ
ଓଡ଼ିଶା ଭିଜିଲାନ୍ସ ଜାଲରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଜୟ କୁମାର ନାଏକ | ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି। ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଟଙ୍କା ହଡ଼ପ କରୁଥିଲେ |

ଅନୁଗୋଳ: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ପ୍ରାୟ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଜୟ DFO କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ କାର୍ଯ୍ୟରତ ଥିଲେ। କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଏବଂ ବକେୟା ଅର୍ଥ ପ୍ରକ୍ରିୟାକରଣ ଦାୟିତ୍ୱ ତାଙ୍କ ଉପରେ ଥିଲା। ଅଭିଯୋଗ ଅନୁସାରେ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ସେ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ଦାବି ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ପ୍ରାପ୍ୟ ଅର୍ଥ ପ୍ରକୃତ ହିତାଧିକାରୀଙ୍କୁ ନପଠାଇ ନିଜ ବ୍ୟାଙ୍କ ଖାତା ସମେତ ଅନ୍ୟ ଦୁଇ ଜଣଙ୍କ ଖାତାକୁ NEFT ଜରିଆରେ ସ୍ଥାନାନ୍ତର କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରଠାରୁ ଅଜୟ ଫେରାର ଥିଲେ। ଶୁକ୍ରବାର ରାତିରେ ଅନୁଗୋଳ ଟାଉନରେ ଏକ କାର୍ରେ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାର୍ ସହ ମାଡ଼ିବସିଥିଲା । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବା ନେଇ ସୂଚନା ରହିଛି।
