ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା ଓଡିଶା ଜନତା କଂଗ୍ରେସ
ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା ଓଡିଶା ଜନତା କଂଗ୍ରେସ, ୫ ହଜାର ଲୋକଙ୍କୁ ନେଇ ବିଧାନସଭା ଘେରାଉ ଘୋଷଣା।
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନତା। ପିଆଜଠାରୁ ଖାଇବା ତେଲ, ଡାଲିଠାରୁ ଅଟା ଓ ଚିନି ପର୍ଯ୍ୟନ୍ତ ସବୁ ସାମଗ୍ରୀର ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡିଶା ଜନତା କଂଗ୍ରେସ। ଦରଦାମ ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିବା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଦଳ ଚେତାବନୀ ଦେଇଛି। ଓଡିଶା ଜନତା କଂଗ୍ରେସର ଅଭିଯୋଗ ଅନୁସାରେ, ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଦରଦାମ ଉପରେ ନିୟନ୍ତ୍ରଣ ରହୁନାହିଁ। ପିଆଜ ଦର ପ୍ରାୟ ୭୭ ପ୍ରତିଶତ ବୃଦ୍ଧି ପାଇଥିବା ଦଳ ଦାବି କରିଛି। ଖାଇବା ତେଲ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବଢ଼ିବା ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଅଧିକ ଆର୍ଥିକ ବୋଝ ପଡ଼ୁଥିବା କହିଛି କଂଗ୍ରେସ। ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ମଧ୍ୟ ପ୍ରଶ୍ନ କରିଛି ଦଳ। କେବଳ ଦରଦାମ ନୁହେଁ, ଶୀତଳଭଣ୍ଡାର ନିର୍ମାଣ ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ଶୀତଳଭଣ୍ଡାର ଅଭାବରୁ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଫଳରେ କମ୍ ଦାମରେ ଉତ୍ପାଦ ବିକ୍ରି କରିବାକୁ ପଡ଼ୁଥିବା ବେଳେ ଖାଉଟିଙ୍କୁ ଅଧିକ ଦରରେ ସାମଗ୍ରୀ କିଣିବାକୁ ହେଉଛି। ଏହାସହ କଳାବଜାରୀ ରୋକିବାରେ ସରକାର ବିଫଳ ବୋଲି ଦଳ ଅଭିଯୋଗ କରିଛି। ଏହି ସବୁ ପ୍ରସଙ୍ଗକୁ ନେଇ ଆସନ୍ତା ୨୩ ତାରିଖ ସୋମବାର ପ୍ରାୟ ୫ ହଜାର ଲୋକଙ୍କୁ ସାମିଲ କରି ବିଧାନସଭା ଘେରାଉ କରିବାକୁ ଓଡିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ ଘୋଷଣା କରିଛନ୍ତି।
