Chhatar Yatra:ଆଗକୁ ଆସୁଛି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡିର ମାଟିରେ ମା’ଙ୍କ ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଇତିହାସ, ରାଜପରମ୍ପରା ଓ ଜନଆସ୍ଥାର ଅନନ୍ୟ ସଙ୍ଗମ। ଏହି ମହାନ ପରମ୍ପରା ପଛରେ ଲୁଚି ରହିଛି ଅନେକ ଐତିହାସିକ କାହାଣୀ।
କଳାହାଣ୍ଡି:କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଏବେଠାରୁ ଉତ୍ସାହ ଓ ଭକ୍ତିର ମାହୋଲ। ମା’ଙ୍କ ଦର୍ଶନ ପାଇଁ ଭବାନୀପାଟଣାକୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଢୋଲ, ଘୁମୁରାର ତାଳ, ପାରମ୍ପରିକ ରୀତିନୀତି ଓ ଭକ୍ତଙ୍କ ଜୟଧ୍ୱନିରେ ମୁଖରିତ ହୁଏ ସହର। ଯେତିକି ମନୋରମ ଏହି ଯାତ୍ରାର ଭବ୍ୟ ଶୋଭାଯାତ୍ରା ସେତିକି ଅନୁପମ ଏହାର ପରମ୍ପରା ଓ ଐତିହ |
ମା’ ମାଣିକେଶ୍ୱରୀ କଳାହାଣ୍ଡିର ପୂର୍ବତନ ନାଗବଂଶୀ ରାଜପରିବାରର ଇଷ୍ଟଦେବୀ ଭାବେ ପୂଜିତ। ରାଜପରିବାରର ଧାର୍ମିକ ପରମ୍ପରା ଓ ଅଞ୍ଚଳବାସୀଙ୍କ ଆସ୍ଥା ସହ ମା’ଙ୍କ ଉପାସନା ଦୀର୍ଘଦିନ ଧରି ଜଡ଼ିତ ରହିଛି। କେତେକ ଐତିହାସିକ ବିବରଣୀ ଅନୁସାରେ, ନାଗବଂଶୀ ରାଜା ରାମଚନ୍ଦ୍ର ଦେଓଙ୍କ ସମୟରେ ମା’ଙ୍କ ଉପାସନା ଓ ଛତର ପରମ୍ପରା ଆରମ୍ଭ ହେଇଥିଲା ଓ ଆଉ କେତେକ ବିବରଣୀରେ ଗଡ଼ାପୁର ଓ ରାଜପରିବାରର ପାରିବାରିକ ସମ୍ପର୍କ ମାଧ୍ୟମରେ ମା’ଙ୍କ ଛତର କଳାହାଣ୍ଡିକୁ ଆସିବାର କଥା ବର୍ଣ୍ଣନା କରାଯାଇଛି। ଏହି କାହାଣୀଗୁଡ଼ିକ ଯାତ୍ରାର ଐତିହାସିକ ଗୁରୁତ୍ୱକୁ ଆହୁରି ବଢ଼ାଇଥାଏ।
ଦୁର୍ଗାପୂଜା ସମୟରେ ମହାଷ୍ଟମୀ ଓ ମହାନବମୀ ସହ ଜଡ଼ିତ ରୀତିନୀତି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ। ପାରମ୍ପରିକ ବିଧି ଅନୁଯାୟୀ, ମା’ଙ୍କ ପ୍ରତୀକାତ୍ମକ ଛତରକୁ ଜେନାଖାଲକୁ ନିଆଯାଏ ଏବଂ ପରେ ମହାନବମୀ ସକାଳେ ସେଠାରୁ ମନ୍ଦିର ଅଭିମୁଖେ ଶୋଭାଯାତ୍ରା ବାହାରେ। ଏହି ପବିତ୍ର ଛତରକୁ ମା’ଙ୍କ ଉପସ୍ଥିତି ଓ ଶକ୍ତିର ପ୍ରତୀକ ଭାବେ ଭକ୍ତମାନେ ଗ୍ରହଣ କରନ୍ତି। ଏହି ଯାତ୍ରାରେ ଘୁମୁରା ବାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଯୁଦ୍ଧସଦୃଶ ତାଳ ଓ ପାରମ୍ପରିକ ବାଦ୍ୟଧ୍ୱନି ଯାତ୍ରାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଏହି ଉତ୍ସବରେ ଆଦିବାସୀ ଓ ଅନ୍ୟ ସମୁଦାୟର ଧାର୍ମିକ ପରମ୍ପରାର ସମନ୍ୱୟ ମଧ୍ୟ ଦେଖିବାକୁ ମିଳେ।
କଳାହାଣ୍ଡି ରାଜପରିବାରର ମହାରାଜା ଶ୍ରୀ ଅନନ୍ତ ପ୍ରତାପ ଦେଓଙ୍କ ସହ ଜଡ଼ିତ ରାଜପରମ୍ପରା ଏହି ଯାତ୍ରାର ଐତିହାସିକ ପରିଚୟକୁ ସ୍ମରଣ କରାଏ। ତେବେ ଛତର ଯାତ୍ରା ଆଜି କେବଳ ରାଜପରିବାରର ଉତ୍ସବ ହୋଇ ରହିନାହିଁ; ଏହା ସମଗ୍ର କଳାହାଣ୍ଡିର ଜନଜୀବନ, ସାଂସ୍କୃତିକ ଗର୍ବ ଓ ସାମୂହିକ ଆସ୍ଥାର ପ୍ରତୀକ ପାଲଟିଛି।

