Puri Kartika Habisyali:ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ
ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ। ଅନ୍ୟପଟେ ପବିତ୍ର ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ଆସିବାକୁ ଥିବା ହବିଷ୍ୟାଳିଙ୍କ ସୁବିଧା ଓ ରହଣି ବ୍ୟବସ୍ଥାକୁ ନେଇ ତତ୍ପର ହୋଇଛି ପ୍ରଶାସନ।

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଏହି ଅବସରରେ ଶ୍ରୀଜୀଉଙ୍କ ମନୋହର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥିବା ବେଳେ ସକାଳଧୂପ ପରେ ସ୍ୱତନ୍ତ୍ର ବାଳଧୂପ ଭୋଗ ଲାଗି ହୋଇଛି। ମାସକ ଧରି ଚାଲିବାକୁ ଥିବା ଏହି ନୀତି ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏହି ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ବାଳଧୂପରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଓ ପଇଡ଼ ଆଦି ଭୋଗ ଲାଗି ହୋଇଥାଏ। ଏକାଦଶୀଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାରୁ ପୁରୀରେ ହବିଷ୍ୟାଳିଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳନ କରିବେ ହଜାର ହଜାର ମହିଳା ଶ୍ରଦ୍ଧାଳୁ। ସେମାନଙ୍କ ରହଣି ଓ ସୁବିଧା ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ବୃନ୍ଦାବତୀ ନିବାସ ଏବଂ ମୋଚି ସାହିସ୍ଥିତ ମ୍ୟୁନିସିପାଲ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଉପସ୍ଥିତ ଅଧିକାରୀଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରି ଅକ୍ଟୋବର ୨୪ ସୁଦ୍ଧା ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ହବିଷ୍ୟାଳିଙ୍କ ରହଣି, ଆବଶ୍ୟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି। କାର୍ତ୍ତିକ ବ୍ରତ ନଭେମ୍ବର ୨୪ରେ ସମାପ୍ତ ହେବ। ଏହି ସମୟରେ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ରଖିବା ସହ ଭକ୍ତଙ୍କ ଦର୍ଶନ ସୁଗମ କରିବା ପ୍ରଶାସନ ପାଇଁ ବଡ଼ ଦାୟିତ୍ୱ ହେବ। ଭକ୍ତି, ସଂଯମ ଓ ଆଧ୍ୟାତ୍ମିକ ସାଧନାର ଏହି ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ବଢ଼ିବା ଆଶା କରାଯାଉଛି। ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସଙ୍କ ମତରେ, କାର୍ତ୍ତିକ ମାସର ନୀତି ଓ ବେଶ ଶ୍ରୀମନ୍ଦିରର ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହବିଷ୍ୟାଳିମାନେ ଭୋରରୁ ସ୍ନାନ, ତୁଳସୀ ପୂଜା ଓ ରାଧାଦାମୋଦରଙ୍କ ଆରାଧନା କରି ବ୍ରତ ପାଳନ କରନ୍ତି। ତେଣୁ ରହଣି ସ୍ଥଳରେ ପରିମଳ, ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନିଶ୍ଚିତ କରିବା ଉପରେ ପ୍ରଶାସନ ଧ୍ୟାନ ଦେଉଛି। ସେହିପରି ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା ଓ ନୀତିର ସମୟାନୁବର୍ତ୍ତିତା ଉପରେ ମଧ୍ୟ ନଜର ରହିବ ବୋଲି କୁହାଯାଇଛି।
