Durga Immersion:କଟକ ଦୁର୍ଗା ଭସାଣି ପାଇଁ ପୋଲିସର ମାଷ୍ଟରପ୍ଲାନ୍
କଟକରେ ଦୁର୍ଗା ମା’ଙ୍କ ଭସାଣିକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ କମିଶନରେଟ୍ ପୋଲିସର ବଡ଼ ପ୍ରସ୍ତୁତି। ୪୨୦୦ ପୋଲିସ କର୍ମୀ, ୧୦୬ଟି ଟିମ୍ ଓ ୧୩୦୦ ସିସିଟିଭି କ୍ୟାମେରା ମାଧ୍ୟମରେ ରହିବ କଡ଼ା ନଜର। ଭିଡ଼ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଡିସିପି।

କଟକ: ଦୁର୍ଗା ମା’ଙ୍କ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍। ଭସାଣି ରୁଟ୍ଠାରୁ ଆରମ୍ଭ କରି ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପର୍ଯ୍ୟନ୍ତ ସବୁ ଦିଗ ଉପରେ ପୋଲିସ ନଜର ରଖିଛି। ଏଥିପାଇଁ ମୋଟ ୪୨୦୦ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଭସାଣି ଶୋଭାଯାତ୍ରାର ସମ୍ପୂର୍ଣ୍ଣ ରୁଟ୍କୁ ୧୦୬ଟି ଟିମ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଟିମ୍ର କାର୍ଯ୍ୟ ଉପରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ନଜର ରଖିବେ। ଏହାଦ୍ୱାରା ଭସାଣି ସମୟରେ କୌଣସି ସ୍ଥାନରେ ସମସ୍ୟା ଦେଖାଦେଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ରୁ ୧୩୦୦ ସିସିଟିଭି କ୍ୟାମେରାର ଦୃଶ୍ୟ ଉପରେ ନଜର ରଖିବେ ଅଧିକାରୀ। ଭସାଣି ରୁଟ୍ରେ ଭିଡ଼, ଅସ୍ୱାଭାବିକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମ୍ବନ୍ଧୀୟ ଘଟଣାକୁ ନିୟନ୍ତ୍ରଣ କରିବାରେ ଏହି ବ୍ୟବସ୍ଥା ସହାୟକ ହେବ। କଟକ ଡିସିପି ଋଷିକେଶ ଖିଲାରୀ ଜନସାଧାରଣଙ୍କୁ ଭିଡ଼ ନ ଜମାଇ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିବାକୁ ଅପିଲ୍ କରିଛନ୍ତି। ଭସାଣି ସମୟରେ ପୋଲିସକୁ ସହଯୋଗ କରିବା ସହ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଭସାଣି ସମୟରେ କୌଣସି ପ୍ରକାର ଅସୁବିଧା, ଅଘଟଣ କିମ୍ବା ସନ୍ଦେହଜନକ ପରିସ୍ଥିତି ଦେଖିଲେ ତୁରନ୍ତ ୧୧୨ ନମ୍ବରକୁ ଫୋନ୍ କରି ଜଣାଇବାକୁ ଡିସିପି ଅପିଲ୍ କରିଛନ୍ତି। ପୋଲିସର ବ୍ୟାପକ ପ୍ରସ୍ତୁତି ଓ ଜନସାଧାରଣଙ୍କ ସହଯୋଗ ମଧ୍ୟରେ କଟକର ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
