Bear Attack:ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ ପାଙ୍ଗି
ସକାଳୁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ହେଲେ ହଠାତ୍ ସାମ୍ନାକୁ ଆସିଗଲା ଭାଲୁ। ଆରମ୍ଭ ହେଲା ଜୀବନମରଣ ସଂଘର୍ଷ। ଶେଷରେ ଭାଲୁ କବଳରୁ ମୁକୁଳିଲେ ସାଧୁ ପାଙ୍ଗି, କିନ୍ତୁ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ।

ମାଲକାନଗିରି: ଜଙ୍ଗଲରେ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଜଣେ ବ୍ୟକ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସାଧୁ ପାଙ୍ଗି। ଏହି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଇନ୍ଦ୍ରକଲୋନୀ ଜଙ୍ଗଲରେ ଘଟିଛି। ସୂଚନା ଅନୁଯାୟୀ, ସାଧୁ ସକାଳୁ ସକାଳୁ କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରି ଜାବୁଡ଼ି ଧରିଥିଲା। ଅଚାନକ ଆକ୍ରମଣରେ ସେ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ ହାର ମାନିନଥିଲେ। ଭାଲୁ ସହ ଦୀର୍ଘ ସମୟ ଧରି ତାଙ୍କର ସଂଘର୍ଷ ଚାଲିଥିଲା। ଶେଷରେ ଭାଲୁଟି ତାଙ୍କୁ ଛାଡ଼ି ଜଙ୍ଗଲ ଭିତରକୁ ଚାଲିଯିବାରୁ ସେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ତେବେ ଭାଲୁର ଆକ୍ରମଣରେ ସାଧୁଙ୍କ ମୁଣ୍ଡ, ମୁହଁ ଓ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ଘଟଣା ପରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ କୋରୁକୋଣ୍ଡା ହସ୍ପିଟାଲକୁ ନେଇଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଗମ୍ଭୀରତାକୁ ଦେଖି ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଧୁଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତର ସପନ କୁମାର ଡିଣ୍ଡାଙ୍କ ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ଏହି ଘଟଣା ପରେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଉଥିବା ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
