Bhadrak Sindur Khela:ଭଦ୍ରକରେ ବଙ୍ଗୀୟ ପରମ୍ପରା, ସିନ୍ଦୁର ଖେଳରେ ମା’ଙ୍କୁ ମେଲାଣି
ମା’ ଆସିଥିଲେ ଭକ୍ତି ଓ ଉତ୍ସାହରେ ଭରି ଦେବାକୁ, ଆଉ ବିଦାୟ ବେଳେ ଆଖିରେ ଲୁହ ଓ ମନରେ ପୁଣି ଫେରିବାର ଆଶା। ଭଦ୍ରକର ସନ୍ଥିଆ ନୀଳକଣ୍ଠପୁରରେ ସିନ୍ଦୁର ଖେଳ ମାଧ୍ୟମରେ ମା’ଙ୍କୁ ମେଲାଣି ଦେଲେ ବାଙ୍ଗୀୟ ସମ୍ପ୍ରଦାୟର ମହିଳାମାନେ।

ଭଦ୍ରକ: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ମେଲାଣି ଦେବା ବେଳେ ଭଦ୍ରକର ସନ୍ଥିଆ ନୀଳକଣ୍ଠପୁରରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ମା’ଙ୍କ ନିକଟରେ ସିନ୍ଦୁର ଅର୍ପଣ କରିବା ସହ ପରସ୍ପରକୁ ସିନ୍ଦୁର ବୋଳି ଭାବବିହ୍ୱଳ ପରିବେଶରେ ଦେବୀଙ୍କୁ ବିଦାୟ ଦେଇଛନ୍ତି ବାଙ୍ଗୀୟ ସମ୍ପ୍ରଦାୟର ମହିଳାମାନେ। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ପାଳନ କରାଯାଇଛି ଏହି ପାରମ୍ପରିକ ସିନ୍ଦୁର ଖେଳ। ଦୁର୍ଗାପୂଜା ସମୟରେ ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଥିଲା ଅଞ୍ଚଳ। ଆଉ ବିଦାୟର ମୁହୂର୍ତ୍ତରେ ଭକ୍ତି ଓ ଭାବନାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରିଥିଲେ। ପରେ ମା’ଙ୍କ ନିକଟରୁ ସିନ୍ଦୁର ଆଣି ପରସ୍ପରର ମଥା ଓ ମୁହଁରେ ଲଗାଇଥିଲେ। ବିଶେଷକରି ବାଙ୍ଗୀୟ ସମ୍ପ୍ରଦାୟର ସଧବା ମହିଳାମାନେ ଏହି ରୀତିନୀତିକୁ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। ମା’ଙ୍କୁ ପାନ ଅର୍ପଣ କରିବା ପରେ ସିନ୍ଦୁର ନେଇ ପରସ୍ପରକୁ ବୋଳିଥାନ୍ତି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ସ୍ୱାମୀଙ୍କ ଦୀର୍ଘାୟୁ, ପରିବାରର ମଙ୍ଗଳ ଓ ଦାମ୍ପତ୍ୟ ଜୀବନର ସୁଖଶାନ୍ତି ପାଇଁ ଏକ ଆଧ୍ୟାତ୍ମିକ କାମନାର ପ୍ରତୀକ। ସିନ୍ଦୁର ଖେଳ ସମୟରେ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇ ଶୁଭେଚ୍ଛା ଜଣାଇବା ସହ ହସଖୁସିରେ ମା’ଙ୍କୁ ବିଦାୟ ଦେଇଥିଲେ। ତେବେ ମା’ଙ୍କ ମେଲାଣି ବେଳେ ଭକ୍ତଙ୍କ ମନରେ ଭାବବିହ୍ୱଳତା ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଆସନ୍ତା ବର୍ଷ ପୁଣି ମା’ ଆସିବେ, ସୁଖ ଓ ସମୃଦ୍ଧିର ଆଶୀର୍ବାଦ ଦେବେ—ଏହି ଆଶା ନେଇ ଭକ୍ତମାନେ ଦେବୀଙ୍କୁ ବିଦାୟ ଦେଇଛନ୍ତି।
