Odisha’s Industrial Growth : ଖଣିରୁ କେମିକାଲ୍ ହବ୍ ହେବ ଓଡ଼ିଶା, ମୋହନ ମାଝୀଙ୍କ ବଡ଼ ଘୋଷଣା
ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ପାଦ ଆଗକୁ ନେବାକୁ ବଡ଼ ଯୋଜନା। ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍ ଶିଳ୍ପଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବ ରାଜ୍ୟ।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ପାଦ ଆଗକୁ ନେବାକୁ ବଡ଼ ଯୋଜନା। ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍ ଶିଳ୍ପଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବ ରାଜ୍ୟ। ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତି ଗଠନ ଲକ୍ଷ୍ୟରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏଥିପାଇଁ ରାଜ୍ୟର ଖଣିଜ ସମ୍ପଦ, ବନ୍ଦର ଓ ଶିଳ୍ପ ଭିତ୍ତିଭୂମିକୁ ଉପଯୋଗ କରାଯିବ। ଓଡ଼ିଶାରେ ନିବେଶ କରି ସମୃଦ୍ଧ ରାଜ୍ୟ ଗଠନରେ ସହଭାଗୀ ହେବାକୁ ସେ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି। ଏହା ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରୁଛି। ଏଥିସହ ରାଜ୍ୟକୁ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ମିଳିଥିବାବେଳେ ୧୨.୫୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି।ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରକୁ ଓଡ଼ିଶାର ଶିଳ୍ପ ବିକାଶର ପ୍ରମୁଖ ଶକ୍ତି ଭାବେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦୀପରେ ଥିବା ରିଫାଇନାରୀ, ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଓ ପ୍ଲାଷ୍ଟିକ୍ ପାର୍କ ମାଧ୍ୟମରେ ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରରେ ନୂଆ ନିବେଶ ସୁଯୋଗ ସୃଷ୍ଟି ହୋଇପାରିବ।ସେହିପରି ଗୋପାଳପୁରରେ ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ସହିତ ତାଳଚେର ଓ ଲଖନପୁରରେ କୋଇଲା ଗ୍ୟାସୀକରଣଭିତ୍ତିକ ପ୍ରକଳ୍ପ ଶିଳ୍ପ ବିକାଶକୁ ନୂଆ ଦିଗ ଦେଇପାରିବ। ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନିବେଶକ ସମ୍ମିଳନୀରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)ର ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ମଧ୍ୟ ସାମିଲ ରହିଛି।ଶିଳ୍ପ ଅନୁକୂଳ ନୀତି, ଦକ୍ଷ ଶ୍ରମଶକ୍ତି, ଉନ୍ନତ ଭିତ୍ତିଭୂମି ଏବଂ ଶିକ୍ଷାନୁଷ୍ଠାନର ସହଯୋଗକୁ ଆଧାର କରି ଓଡ଼ିଶାକୁ କେମିକାଲ୍ ଓ ପେଟ୍ରୋକେମିକାଲ୍ ଶିଳ୍ପର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ‘ଇଣ୍ଡିଆ କେମ୍ ୨୦୨୬’ର ଉଦ୍ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ।
