Vote rList ଭୋଟର ତାଲିକାରୁ ବସ୍ତାବାସୀଙ୍କ ନାଁ କାଟିବା ଅଭିଯୋଗ: ବିଜେଡିର ସାମ୍ବାଦିକ ସମ୍ମିଳନୀ
ବସ୍ତା ବ୍ଲକ୍ର ୩ ହଜାରରୁ ଅଧିକ ଲୋକଙ୍କ ନାଁ ଭୋଟର ତାଲିକାରୁ କାଟିବା ପାଇଁ ଆବେଦନ ହୋଇଥିବା ଅଭିଯୋଗ କରିଛି ବସ୍ତା ଏନଏସି ବିଜେଡି। ଦୀର୍ଘବର୍ଷ ଧରି ବସ୍ତାରେ ବସବାସ କରୁଥିବା ଲୋକଙ୍କ ନାଁ କାହିଁକି କାଟିବା ପାଇଁ ଆବେଦନ କରାଯାଇଛି, ଏହାର କାରଣ ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ନାଁ ପ୍ରକାଶ କରିବାକୁ ବିଜେଡି ଦାବି କରିଛି। ଏହା ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।
ବସ୍ତା: ଭୋଟର ତାଲିକା ସଂଶୋଧନକୁ ନେଇ ବସ୍ତାରେ ତେଜିଛି ରାଜନୀତି। ବସ୍ତା ଏନଏସି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୋଟର ତାଲିକାରୁ ବସ୍ତାର ମୂଳ ବାସିନ୍ଦାଙ୍କ ନାଁ କାଟିବା ପାଇଁ ଆବେଦନ ହୋଇଥିବା ଅଭିଯୋଗ କରାଯାଇଛି। ବିଜେଡିର ଅଭିଯୋଗ ଅନୁସାରେ, ବସ୍ତା ବ୍ଲକ୍ର ୩ ହଜାରରୁ ଅଧିକ ଲୋକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଆବେଦନ ହୋଇଛି। ଯେଉଁମାନେ ଦୀର୍ଘବର୍ଷ ଧରି ବସ୍ତା ଅଞ୍ଚଳରେ ବସବାସ କରି ଆସୁଛନ୍ତି, ସେମାନଙ୍କ ନାଁ କାଟିବା ପାଇଁ ଆବେଦନ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ବିଜେଡି ଆହୁରି ଅଭିଯୋଗ କରିଛି ଯେ, ୫ ଥର ସରପଞ୍ଚ ରହିଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାଁ ମଧ୍ୟ ଭୋଟର ତାଲିକାରୁ କାଟିବା ପାଇଁ ଆବେଦନ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ତେବେ କେଉଁମାନେ ଏବଂ କେଉଁ କାରଣରୁ ଏହି ଲୋକମାନଙ୍କ ନାଁ ଭୋଟର ତାଲିକାରୁ କାଟିବା ପାଇଁ ଆବେଦନ କରିଛନ୍ତି, ତାହା ସାର୍ବଜନୀନ କରିବାକୁ ବିଜେଡି ଦାବି କରିଛି। ଏହା ସହ ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାଁ ବାଦ୍ ଦିଆଯିବାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦିଆଯାଇଛି। ଦାବି ପୂରଣ ନହେଲେ ଲୋକଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି।
