Koraput Railway Section:ଭୂସ୍ଖଳନ ପରେ ମାଲିଗୁଡ଼ା ରେଳପଥର ମରାମତି ଶେଷ
ଭୂସ୍ଖଳନ ଯୋଗୁଁ ପ୍ରାୟ ଏକ ମାସ ଧରି ବନ୍ଦ ରହିଥିବା କୋରାପୁଟ–କିରଣ୍ଡୁଲ ରେଳପଥର ମାଲିଗୁଡ଼ା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସୀମିତ ଗତିରେ ମାଲବାହୀ ଟ୍ରେନ୍ ଚାଲିବାକୁ ଅନୁମତି ମିଳିଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ପାଇଁ ସୁରକ୍ଷା ଯାଞ୍ଚ ଜରୁରୀ ହୋଇଛି।

ଜୟପୁର: କୋରାପୁଟ–କିରଣ୍ଡୁଲ ରେଳ ସେକ୍ସନର ମାଲିଗୁଡ଼ା–ଜରତି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ରେଳପଥର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହି ସେକ୍ସନରେ ଭୂସ୍ଖଳନ ଯୋଗୁଁ ଗତ ୨୪ ସେପ୍ଟେମ୍ବରରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ବୁଧବାର ରାତିରେ ମରାମତି କାର୍ଯ୍ୟ ଶେଷ ହେବା ପରେ ସୁରକ୍ଷା ସତର୍କତା ଓ ନିରନ୍ତର ତଦାରଖ ସହ ସୀମିତ ଗତିରେ ମାଲବାହୀ ଟ୍ରେନ୍ ଚଳାଚଳକୁ ପୂର୍ବତଟ ରେଳପଥ ଅନୁମତି ଦେଇଛି। ତେବେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଏବେ ଅପେକ୍ଷା କରିବାକୁ ପଡ଼ିବ। ରେଳଧାରଣା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ମାନଦଣ୍ଡର ସମ୍ପୂର୍ଣ୍ଣ ଯାଞ୍ଚ ଓ ମୂଲ୍ୟାଙ୍କନ ପରେ ଆବଶ୍ୟକ ଅନୁମତି ମିଳିଲେ ହିଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ରାଜେଶ ସେଖାୱତ ଓ ରାୟଗଡ଼ା ମଣ୍ଡଳର ଡିଆରଏମ୍ ଅମିତାଭ ସିଂଘଲ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ରହି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ସିଭିଲ୍ ଇଞ୍ଜିନିୟରିଂ, ବିଦ୍ୟୁତ୍ ଏବଂ ସିଗନାଲ୍ ଓ ଟେଲିକମ୍ ବିଭାଗର କର୍ମଚାରୀମାନେ ଦିନରାତି କାମ କରିଥିଲେ।
ଏହା ପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ମାଲିଗୁଡ଼ା ଅଞ୍ଚଳ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଳିଗୁଡ଼ା ରେଳ ସେତୁ ନିକଟରେ କିଲୋମିଟର ୨୧୫/୧୯ରୁ ୨୧୫/୨୩ ଏବଂ ମାଳିଗୁଡ଼ା ଷ୍ଟେସନ୍ ୟାର୍ଡରେ କିଲୋମିଟର ୨୧୭/୨୫ରୁ ୨୧୭/୩୬ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳପଥ ପ୍ରଭାବିତ ହୋଇଥିଲା। ବସ୍ତର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହି ରେଳପଥ ଯାତାୟାତର ଏକ ପ୍ରମୁଖ ମାଧ୍ୟମ। ତେଣୁ ଟ୍ରେନ୍ ସେବା ବନ୍ଦ ରହିବା ଯୋଗୁଁ ଯାତ୍ରୀମାନେ ଭୋଗିଥିବା ଅସୁବିଧା ପାଇଁ ରେଳପଥ ଦୁଃଖ ପ୍ରକାଶ କରିବା ସହ ଧୈର୍ଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛି। ସୁରକ୍ଷା ସହ କୌଣସି ସାଲିସ ନକରି ଯଥାଶୀଘ୍ର ସ୍ୱାଭାବିକ ଟ୍ରେନ୍ ସେବା ଆରମ୍ଭ କରିବା ଉପରେ ରେଳପଥ ଗୁରୁତ୍ୱ ଦେଇଛି।
