Cyclone Alert: ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନ୍ ମୋଡ୍ ରେ ରାଜ୍ୟ ସରକାର, ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନ୍ ମୋଡ୍ ରେ ରାଜ୍ୟ ସରକାର, ୩ ଜିଲ୍ଲାକୁ ରେଡ୍ ଆଲର୍ଟ । ସଜାଗ ପ୍ରଶାସନ, ମୁତୟନ ହେବେ ଓଡ୍ରାଫ୍ ଓ NDRF । ଧନଜୀବନ ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସହ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛି ପ୍ରଶାସନ। ଏଥିପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ୍ସ୍ତରରେ ଆଗୁଆ ପ୍ରସ୍ତୁତି ରଖିବା ସହ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ପାଣିପାଗ ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ୨୬ ତାରିଖ ସକାଳଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ। ୨୬, ୨୭ ଓ ୨୮ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ସୂଚନା ଦିଆଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ବୈଠକ କରିବା ସହ ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ସରକାରୀ ବସ୍ ସହ ଆବଶ୍ୟକ ସ୍ଥଳେ ବେସରକାରୀ ବସ୍ ମଧ୍ୟ ବ୍ୟବହାର କରାଯିବ। ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଆଲୋକ ଓ ପରିମଳ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ପ୍ରଶାସନକୁ କୁହାଯାଇଛି। ଲୋକଙ୍କୁ ସୁରକ୍ଷିତ ଓ ସମ୍ମାନର ସହ ସ୍ଥାନାନ୍ତର କରିବା ସହ ସେମାନେ ଘର ଛାଡ଼ିବା ପରେ ଧନସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ଓଡ଼ିଶା ପୋଲିସ ଉପରେ ରହିବ। ପରିସ୍ଥିତି ଅନୁଯାୟୀ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିପାରିବେ। ଜରୁରୀ ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଶୀଘ୍ର କୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ରହିଛି। ମତ୍ସ୍ୟଜୀବୀଙ୍କ ଜୀବନକୁ ବିପଦରେ ପକାଉଥିବା ଅସହଯୋଗୀ ଟ୍ରଲର ମାଲିକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି। ଏପରି ସ୍ଥିତିରେ ରାଜ୍ୟବାସୀ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ରାଜସ୍ୱ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।
