Begunia-Road-Blockade:ରାସ୍ତା ପାଇଁ ରାସ୍ତାରୋକ, ଶୁଣିଲାନି ପ୍ରଶାସନ
ପାଞ୍ଚ ବର୍ଷ ହେଲା ରାସ୍ତାରେ ଖାଲଖମା, ନିତି ଘଟୁଛି ଦୁର୍ଘଟଣା। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନଶୁଣିବାରୁ ଶେଷରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ। ଆନ୍ଦୋଳନରେ ସାମିଲ ହେଲେ ସ୍ଥାନୀୟ ବିଧାୟକ।

ଖୋର୍ଦ୍ଧା: ରାସ୍ତାର ଦୁରାବସ୍ଥାରେ ଅତିଷ୍ଠ ହୋଇ ରାସ୍ତାରୋକ କଲେ ଶତାଧିକ ଲୋକ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପରିଛଳଠାରୁ ରାଉତପଡ଼ା ଦେଇ ଡିଙ୍ଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଦାବିରେ ଆଜି ସ୍ଥାନୀୟ ଲୋକେ ଖୋର୍ଦ୍ଧା ଗଡ଼ମାଣିତୀରଠାରେ ରାସ୍ତା ଅବରୋଧ କରିଛନ୍ତି।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ପାଞ୍ଚ ବର୍ଷ ହେଲା ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି। ରାସ୍ତାର ଅବସ୍ଥା ଏତେ ଖରାପ ଯେ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ଏନେଇ ବାରମ୍ବାର ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ। ପ୍ରଶାସନର ଏହି ଅବହେଳାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ଆଜି ସେମାନେ ଏକାଠି ହୋଇ ରାସ୍ତା ଅବରୋଧ କରିଛନ୍ତି।ଏହି ଆନ୍ଦୋଳନରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମଧ୍ୟ ସାମିଲ ହୋଇ ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରିଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରାସ୍ତାର ନିର୍ମାଣ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କାମ ଆରମ୍ଭ ହେବାରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି। ତେଣୁ ଆଉ ବିଳମ୍ବ ନକରି ରାସ୍ତାର ମରାମତି କାମ ଶୀଘ୍ର ଆରମ୍ଭ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
