Bjd In Kotia: ‘କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ’, ଆନ୍ଧ୍ର ନିର୍ବାଚନକୁ ବିଜେଡିର ବିରୋଧ
କୋଟିଆକୁ ନେଇ ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ କୋଟିଆରେ ବିଜେଡିର ତୀବ୍ର ବିରୋଧ। ୧୬ ଜଣିଆ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା।
କୋରାପୁଟ: କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛି କୋରାପୁଟ ବିଜୁ ଜନତା ଦଳ (ବିଜେଡି)। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଚାଲିଥିବା ବେଳେ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ୧୬ ଜଣିଆ ପ୍ରତିନିଧି ଦଳ କୋଟିଆରେ ପହଞ୍ଚି ନିର୍ବାଚନ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛି। ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କୋଟିଆ ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର କୋଟିଆର ବିକାଶ ପ୍ରତି ଆବଶ୍ୟକ ଧ୍ୟାନ ଦେଉନଥିବା ଦଳ ଅଭିଯୋଗ କରିଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ଅଞ୍ଚଳରେ ଆନ୍ଧ୍ରର ଏକପାଖିଆ ଶାସନ ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି। କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଇଦିଆଯିବ ନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ ମତ ପ୍ରକାଶ ପାଇଛି।
ଆଜି କୋଟିଆରେ ପହଞ୍ଚିଥିବା ୧୬ ଜଣିଆ ପ୍ରତିନିଧି ଦଳ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି। ଏହି ଗସ୍ତରୁ ମିଳିଥିବା ତଥ୍ୟ ଓ ସ୍ଥିତି ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ, କୋଟିଆ ଅଞ୍ଚଳର ଲୋକେ ଓଡ଼ିଶା ସପକ୍ଷରେ ରହିଥିବା ଏବଂ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।
