Nabarangpur Murder:ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଧରିଲେ ଗ୍ରାମବାସୀ
ନିଜ ଶ୍ୱଶୁର ଘର ଗାଁରେ ଘର ପଛପଟେ ଜାଗା ସଫା କରୁଥିବା ବେଳେ ଟାଙ୍ଗିଆ ଆକ୍ରମଣରେ ଜୀବନ ହରାଇଲେ ୬୦ ବର୍ଷୀୟ ବୃଦ୍ଧ। ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଲେ ପରିବାର ଓ ଗ୍ରାମବାସୀ।

ନବରଙ୍ଗପୁର:ଟାଙ୍ଗିଆ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସିରସୀ ଗ୍ରାମପଞ୍ଚାୟତର କଦମଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ନବରଙ୍ଗପୁର ବ୍ଲକ୍ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗାଁର ମୁଣ୍ଡରା ପୂଜାରୀ। ଏହି ଘଟଣାରେ ଅଭିଯୁକ୍ତ ଉଦୟନାଥ ଅମନାତ୍ୟ ଓରଫ ଶୁକୃଙ୍କୁ ପରିବାର ଲୋକେ ଓ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଛନ୍ତି। ଅଭିଯୋଗ ଅନୁସାରେ, ମୁଣ୍ଡରା ନିଜ ଶ୍ୱଶୁର ଘର କଦମଗୁଡ଼ା ଗାଁରେ ରହୁଥିଲେ। ଆଜି ସକାଳେ ଘର ପଛପଟେ ଖଳା ପ୍ରସ୍ତୁତ କରିବା ପାଇଁ ସେ ଜାଗା ସଫା କରୁଥିଲେ। ଏହି ସମୟରେ ଉଦୟନାଥ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଚିତ୍କାର ଶୁଣି ମୁଣ୍ଡରାଙ୍କ ପତ୍ନୀ ଓ ବୋହୂ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ଅଭିଯୁକ୍ତ ନିଜ ଘରକୁ ପଳାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଧରି ଘରେ ବାନ୍ଧି ରଖିବା ସହ ପୋଲିସକୁ ଖବର ଦେଇଥିଲେ।ସୂଚନା ପାଇ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ନେଇଛି। ପ୍ରାଥମିକ ତଦନ୍ତରେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିବା ନେଇ କୌଣସି ସୂଚନା ମିଳିନାହିଁ। ତେବେ ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
