Urban Mobility India: ଉଦଘାଟିତ ହେଲା ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ୨୦୨୬
୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ୨୦୨୬ ଉଦଘାଟିତ। ସହରାଞ୍ଚଳ ବିକାଶ, ମେଟ୍ରୋ ରେଳ ସମ୍ପ୍ରସାରଣ ଓ ଉନ୍ନତ ଯାତାୟାତ ବ୍ୟବସ୍ଥା ଉପରେ ଗୁରୁତ୍ୱ।
ଭୁବନେଶ୍ୱର: ଉଦଘାଟିତ ହୋଇଛି ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ୨୦୨୬। କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ। ସମ୍ମିଳନୀରେ ସହରାଞ୍ଚଳ ବିକାଶ, ଯାତାୟାତ ବ୍ୟବସ୍ଥାର ଆଧୁନିକୀକରଣ, ନୂତନ ସମାଧାନ ଏବଂ ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ ନେଇ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ଦେଶବିଦେଶର ଶତାଧିକ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେଇଛନ୍ତି। ବିଭିନ୍ନ ସହରର ବିକାଶ ସହ ଗମନାଗମନ ବ୍ୟବସ୍ଥାକୁ କିପରି ଅଧିକ ସୁଗମ, ସୁବିଧାଜନକ ଓ ଜନସାଧାରଣଙ୍କ ଆବଶ୍ୟକତା ଅନୁକୂଳ କରାଯାଇପାରିବ, ସେନେଇ ମତବିନିମୟ କରାଯାଇଛି। ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ତୋଖନ ସାହୁ କହିଛନ୍ତି ଯେ, ସରକାର ନାଗରିକଙ୍କ ଜୀବନଧାରଣର ମାନ ବା ‘ଇଜ୍ ଅଫ୍ ଲିଭିଂ’କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ୨୦୨୭ ସୁଦ୍ଧା ଦେଶର ପ୍ରାୟ ୪୦ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରିବେ। ଏହି ପରିପ୍ରେକ୍ଷୀରେ ନାଗରିକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ସହ ସହରାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମେଟ୍ରୋ ରେଳ ନେଟୱର୍କର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବରୁ ଦେଶରେ ମାତ୍ର ୨୪୮ କିଲୋମିଟର ମେଟ୍ରୋ ରେଳ ନେଟୱର୍କ ଥିଲା। ତେବେ ଏହା ପରେ ମେଟ୍ରୋ ରେଳ ସଂଯୋଗରେ ବ୍ୟାପକ ସମ୍ପ୍ରସାରଣ ହୋଇଛି ଏବଂ ଏହାର ମୋଟ ଦୈର୍ଘ୍ୟ ୧,୧୮୫ କିଲୋମିଟରରେ ପହଞ୍ଚିଛି। ପୂର୍ବରୁ ଦେଶର ମାତ୍ର ୫ଟି ସହରରେ ମେଟ୍ରୋ ଚଳାଚଳ କରୁଥିବା ବେଳେ ଏବେ ୨୬ଟି ସହରରେ ମେଟ୍ରୋ ସେବା ଉପଲବ୍ଧ ହେଉଛି। ସହରାଞ୍ଚଳରେ ବଢ଼ୁଥିବା ଜନସଂଖ୍ୟା ଓ ଯାତାୟାତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଉନ୍ନତ ପରିବହନ ସେବା ଯୋଗାଇଦେବା ସହ ଭବିଷ୍ୟତର ସହର ଗଠନ ନେଇ ଚିନ୍ତନ ଓ ଆଲୋଚନା କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।
