Bhasani Jatra: ଦେବୀଗଡ଼ାରେ ମା’ଙ୍କୁ ମେଲାଣି
ମା’ଙ୍କୁ ମେଲାଣି ଦେଲା ରୌପ୍ୟନଗରୀ କଟକ, ଆଖିରେ ଲୁହ ମନରେ ଭକ୍ତି, ପାଞ୍ଚ ଦିନର ଆନନ୍ଦ, ଉତ୍ସାହ, ଭକ୍ତି ଓ ଉଲ୍ଲାସ ପରେ ପୁଣି ଆର ବର୍ଷକୁ ଅପେକ୍ଷା ।

କଟକ: ସରିଲା ଶାରଦୀୟ ଦୁର୍ଗାପୂଜା । ଧରାପୃଷ୍ଠରୁ ମେଲାଣି ନେଲେ ମା’ ଦୁର୍ଗା । ପାଞ୍ଚ ଦିନର ଆନନ୍ଦ, ଉତ୍ସାହ, ଭକ୍ତି ଓ ଉଲ୍ଲାସ ପରେ ଶେଷ ହୋଇଛି ଚଳିତବର୍ଷର ଦଶହରା ଉତ୍ସବ । ଢୋଲର ତାଳ, ମହୁରୀର ସ୍ୱର, ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ନୃତ୍ୟରେ ଦୁଲୁକି ଉଠିଥିବା ରୌପ୍ୟନଗରୀ କଟକରେ ଏବେ ଶୁଭୁଛି ବିଦାୟର ସ୍ୱର । ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଥିବା ସହର ଏବେ ମା’ଙ୍କୁ ବିଦାୟ ଦେବାକୁ ଯାଇ ଭାବବିହ୍ୱଳ ହୋଇପଡ଼ିଛି । ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାକୁ ଓହ୍ଲାଇ ମା’ଙ୍କ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସୁସଜ୍ଜିତ ମେଢ଼, ପାରମ୍ପରିକ ବାଦ୍ୟ ଓ ଲୋକନୃତ୍ୟରେ ମୁଖରିତ ହୋଇଉଠିଥିଲା ସହରର ଗଳିକନ୍ଦି । ଅକ୍ଟୋବର ୨୧ରେ ବିଜୟାଦଶମୀ ପାଳନ ପରେ ଅକ୍ଟୋବର ୨୨, ଗୁରୁବାରଠାରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭସାଣି ଉତ୍ସବ । ବିଭିନ୍ନ ପୂଜା ମଣ୍ଡପରୁ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଭବ୍ୟ ଶୋଭାଯାତ୍ରାରେ କଟକର ଦେବୀଗଡ଼ା ବିସର୍ଜନ ସ୍ଥଳକୁ ନିଆଯାଇଥିଲା । ମା’ଙ୍କ ଶେଷ ଦର୍ଶନ ପାଇଁ ଦେବୀଗଡ଼ା ନିକଟରେ ଜମିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଗୋଟିଏ ପଟେ ଭସାଣିର ଉତ୍ସାହ ଓ ଉଲ୍ଲାସ, ଅନ୍ୟପଟେ ମା’ଙ୍କୁ ବିଦାୟ ଦେବାର ଗଭୀର ବିରହ । ଏହି ଦୁଇ ଭାବନାର ମିଶ୍ରଣରେ ଭାବବିହ୍ୱଳ ହୋଇପଡ଼ିଥିଲେ ଭକ୍ତ । ଢୋଲ, ମହୁରୀ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ମା’ଙ୍କୁ ଶେଷ ବିଦାୟ ଜଣାଇଥିଲେ ଶ୍ରଦ୍ଧାଳୁ ।
ଭକ୍ତଙ୍କ ପାଇଁ ମା’ ଦୁର୍ଗା କେବଳ ମଣ୍ଡପରେ ପୂଜା ପାଉଥିବା ଜଣେ ଦେବୀ ନୁହନ୍ତି । ସେ ଦୁଃଖରେ ସାହସ, ଅନ୍ଧାରରେ ଆଶା ଏବଂ ଭାଙ୍ଗିପଡ଼ିଥିବା ମନ ପାଇଁ ଏକ ଅଦୃଶ୍ୟ ଆଶ୍ରୟ । ମା’ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଅସୀମ ଭଲପାଇବା ହିଁ ତାଙ୍କ ବିଦାୟକୁ ଭକ୍ତଙ୍କ ପାଇଁ ଏତେ ଭାବପ୍ରବଣ କରିଦିଏ । ତେଣୁ ମା’ଙ୍କୁ ବିଦାୟ ଦେବା ବେଳେ ଅନେକ ଭକ୍ତଙ୍କ ଆଖିରୁ ଝରିପଡ଼ିଥିଲା ଲୁହ । ଶେଷ ପ୍ରଣାମ ଜଣାଇ ମା’ଙ୍କୁ ବିଦାୟ ଦେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଆଖି ହୋଇଉଠିଥିଲା ଛଳଛଳ । ମା’ ଦୁର୍ଗାଙ୍କ ବିଦାୟ ସହ ଶେଷ ହୋଇଛି ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା । ହେଲେ ଭକ୍ତଙ୍କ ବିଶ୍ୱାସ ଓ ଭାବନାରେ ମା’ ସବୁବେଳେ ବିରାଜମାନ । ଆଖିରେ ଲୁହ, ମନରେ ଭକ୍ତି ଆଉ ହୃଦୟରେ ଗୋଟିଏ ଆଶାକୁ ନେଇ ମା’ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ସମସ୍ତଙ୍କ ମନରେ ଏବେ ଗୋଟିଏ ଅପେକ୍ଷା, ଆସନ୍ତା ବର୍ଷ ପୁଣି ଧରାପୃଷ୍ଠକୁ ଆସିବେ ମା’ ।
