Betada Laxmi Puja:ବେତଡା ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ବେତଡ଼ାର ଗଣପର୍ବ ମା’ ଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସାହ ଚରମରେ। ଆଉ ଦୁଇ ଦିନ ପରେ ଆରମ୍ଭ ହେବ ମହୋତ୍ସବ। ୭ଟି ମଣ୍ଡପରେ ଚାଲିଛି ଶେଷ ପର୍ଯ୍ୟାୟର ସାଜସଜ୍ଜା। ୭୯ ବର୍ଷର ପରମ୍ପରାକୁ ନେଇ ଉତ୍ସବମୁଖର ହେବ ପୂରା ଅଞ୍ଚଳ।

ଭଦ୍ରକ: ବେତଡ଼ା ଅଞ୍ଚଳର ଗଣପର୍ବ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ମା’ଙ୍କ ପୂଜା ମହୋତ୍ସବ। ଏଥିପାଇଁ ଅଞ୍ଚଳର ୭ଟି ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଙ୍ଗବେରଙ୍ଗର ତୋରଣ ଓ ଆକର୍ଷଣୀୟ ସାଜସଜ୍ଜାରେ ସଜେଇ ହେଉଛି ପୂଜା ମଣ୍ଡପ। ବେତଡ଼ାରେ ମା’ ଲକ୍ଷ୍ମୀଙ୍କ ପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଅଞ୍ଚଳବାସୀଙ୍କ ଏକ ପ୍ରମୁଖ ଗଣପର୍ବ। ଦୀର୍ଘ ୧୫ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ। ମା’ଙ୍କ ଦର୍ଶନ ଓ ପୂଜା ମହୋତ୍ସବରେ ସାମିଲ ହେବା ପାଇଁ ବାସୁଦେବପୁର ବ୍ଲକ ସମେତ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଥାଏ। ଏହି ୭ଟି ପୂଜା ମଣ୍ଡପ ମଧ୍ୟରେ ସାର୍ବଜନୀନ ସର୍ବପୁରାତନ ମା’ ଲକ୍ଷ୍ମୀ ପୂଜା କମିଟିର ସ୍ୱତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷ ଏହି କମିଟିର ପୂଜା ୭୯ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ବର୍ଷର ପରମ୍ପରାକୁ ଆଗକୁ ବଢ଼ାଇବା ସହ ଆୟୋଜନକୁ ଆକର୍ଷଣୀୟ କରିବା ପାଇଁ କମିଟିଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଚାଲିଛି।ପୂଜା ସମୟରେ ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଏବେ ଅପେକ୍ଷା ମା’ଙ୍କ ଆଗମନକୁ, ଯାହାକୁ ନେଇ ବେତଡ଼ା ଅଞ୍ଚଳରେ ଧୀରେ ଧୀରେ ଉତ୍ସବର ମାହୋଲ ଜମିବାକୁ ଲାଗିଛି।
