Gajalaxmi Puja: ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା; ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଢେଙ୍କାନାଳରେ ଧନଧାତ୍ରୀ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି, ୪୧ ମଣ୍ଡପରେ ପୂଜା ପାଇବେ ମା’। ଚାନ୍ଦି ମେଢ଼ ଓ ସୁନା ଅଳଙ୍କାରରେ ଝଲସିବ ମଣ୍ଡପ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଢେଙ୍କାନାଳ ପୁଲିସ ପ୍ରଶାସନ ବ୍ଯାପକ ବ୍ଯବସ୍ଥା।
ଢେଙ୍କାନାଳ: ଢେଙ୍କାନାଳ ସହରର ପ୍ରସିଦ୍ଧ ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ସହର। କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ ଓ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ପୂଜା କମିଟିଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଅନ୍ୟପଟେ, ଶୃଙ୍ଖଳିତ ପୂଜା ଆୟୋଜନ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଆସନ୍ତା ୨୫ ତାରିଖ କୁମାର ପୂର୍ଣ୍ଣିମାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସହରରେ ଚାଲିବ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏଥିପାଇଁ ସହରର ମୋଟ ୪୧ଟି ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀମୂର୍ତ୍ତି ନିର୍ମାଣ, ରଙ୍ଗ କାର୍ଯ୍ୟ ଓ ଆକର୍ଷଣୀୟ ସାଜସଜ୍ଜାକୁ ଶେଷ ସ୍ପର୍ଶ ଦିଆଯାଉଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ପୂଜା କମିଟିଗୁଡ଼ିକ ଲାଗିପଡ଼ିଛନ୍ତି।
ଚଳିତ ବର୍ଷ ପୂଜା ମଣ୍ଡପଗୁଡ଼ିକରେ ପୌରାଣିକ କଥାବସ୍ତୁ ସହ ସାମାଜିକ ବାର୍ତ୍ତା ଓ ଐତିହ୍ୟଭିତ୍ତିକ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରର ଆକର୍ଷଣୀୟ ଆଲୋକସଜ୍ଜାର ଝଲକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ। ଏଥିସହ ପାଞ୍ଚରୁ ଛଅଟି ମଣ୍ଡପରେ ଚାନ୍ଦି ମେଢ଼ ଏବଂ ଦୁଇରୁ ତିନୋଟି ମଣ୍ଡପରେ ସୁନା ଅଳଙ୍କାର ଓ ମୁକୁଟର ସାଜସଜ୍ଜା ମୁଖ୍ୟ ଆକର୍ଷଣ ହେବା ଆଶା କରାଯାଉଛି। ଅନ୍ୟପଟେ, ଢେଙ୍କାନାଳର ଅନ୍ୟତମ ପୁରାତନ ଆୟୋଜନ ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ଚଳିତ ବର୍ଷ ଏହାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ କରିବ। ଏହାକୁ ନେଇ କମିଟି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ଲକ୍ଷ୍ମୀପୂଜା ଅବସରରେ ଆସନ୍ତା ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥିତ ପଡ଼ିଆରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ। ଏହି ମେଳାରେ ବିଭିନ୍ନ ଅଞ୍ଚଳର ହସ୍ତଶିଳ୍ପ, ଗ୍ରାମୀଣ ସାମଗ୍ରୀ ଓ ବ୍ୟବସାୟିକ ଷ୍ଟଲ୍ ଲୋକଙ୍କୁ ଆକୃଷ୍ଟ କରିବା ସହ ସହରରେ ଜନସମାଗମକୁ ଆହୁରି ବଢ଼ାଇବାର ସମ୍ଭାବନା ରହିଛି।
ଗଣେଶ ବଜାର ସମେତ ସହରର ପ୍ରମୁଖ ଅଞ୍ଚଳରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହେବ। କୋରିଆଁରୁ କଲେଜ ବାଇପାସ୍ ଏବଂ କଣ୍ଟାନାଳିରୁ ବାଜିଚୌକ ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଆକର୍ଷଣୀୟ ଆଲୋକସଜ୍ଜା ଓ ଡେକୋରେସନ୍ ଶ୍ରଦ୍ଧାଳୁଙ୍କ ପାଇଁ ମନୋରଞ୍ଜନର ଆକର୍ଷଣ ପାଲଟିବ। ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମହିଳା, ଶିଶୁ ଓ ବୟସ୍କଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ସହରର ବିଭିନ୍ନ ସ୍ଥାନକୁ ସିସିଟିଭି ନିରୀକ୍ଷଣରେ ରଖିବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂଜା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ସମନ୍ୱୟ ରଖି ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ରହିଛି। ପୂଜା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଗସ୍ତ ସମ୍ଭାବନା ଥିବାରୁ ପ୍ରସ୍ତୁତିକୁ ଆହୁରି ଗୁରୁତ୍ୱ ଦିଆଯାଉଛି। ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ପାଗ ଅନୁକୂଳ ରହିଲେ ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର ହେବ ଢେଙ୍କାନାଳ ସହର। ଭକ୍ତି, ଭାଇଚାରା, କଳା ଓ ପରମ୍ପରାର ଏହି ମହାପର୍ବକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଏବେ ପୂଜା କମିଟିଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର।
