DJ Van Accident:ମାଲକାନଗିରିରେ ଡିଜେ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ
ଦୁର୍ଗାପୂଜା ଭସାଣିରେ ସାମିଲ ହେବାକୁ ଆସୁଥିବା ଡିଜେ ଭ୍ୟାନ୍ ମାଲକାନଗିରି ଜିଲ୍ଲା ଅଁଳାଯୋଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ। ଚକା ଫାଟି ଗାଡ଼ି ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।

ମାଲକାନଗିରି: ଦୁର୍ଗାପୂଜା ଭସାଣିରେ ଯୋଗଦେବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ୩୨୬ ନମ୍ବର ଜାତୀୟ ରାଜପଥର ଅଁଳାଯୋଡ଼ି ନିକଟରେ ଏକ ଡିଜେ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଏକ ଡିଜେ ଭ୍ୟାନ୍ରେ ପ୍ରାୟ ୨୫ ଜଣ ସଦସ୍ୟ ଦୁର୍ଗାପୂଜା ଭସାଣିରେ ଯୋଗଦେବା ପାଇଁ ମାଲକାନଗିରି ଆସୁଥିଲେ। ତେବେ ଅଁଳାଯୋଡ଼ି ନିକଟରେ ହଠାତ୍ ଗାଡ଼ିର ଚକା ଫାଟିଯାଇଥିଲା। ଫଳରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇବାରୁ ଭ୍ୟାନ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଥିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି। ପୂଜା ଭସାଣିରେ ଯୋଗଦେବାକୁ ଆସୁଥିବା ଲୋକଙ୍କ ସହ ଏଭଳି ଦୁର୍ଘଟଣା ଘଟିବା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ତେବେ ମୃତକଙ୍କ ପରିଚୟ ଏବଂ ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବା ବାକି ରହିଛି।
