Juragadia Durga Visarjan:ବିନା ଡିଜେରେ ମା’ଙ୍କ ମେଲାଣି, ମୃଦଙ୍ଗ ଓ ଝାଞ୍ଜରେ ଝୁମିଲା ଗାଁ
ସବୁଠି ଡିଜେର ଧୁମ୍, ହେଲେ ଜୁରାଗଡ଼ିଆରେ ପରମ୍ପରାର ସ୍ୱର। ମୃଦଙ୍ଗ, ଝାଞ୍ଜ ଓ ଘଣ୍ଟର ତାଳେ ମା’ ଦୁର୍ଗାଙ୍କୁ ମେଲାଣି ଦେଉଛନ୍ତି ଗ୍ରାମବାସୀ। ଶବ୍ଦ ପ୍ରଦୂଷଣମୁକ୍ତ ଭସାଣି ଯାତ୍ରା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ।

ଭଦ୍ରକ: ଆଜି ମା’ ଦୁର୍ଗାଙ୍କ ମେଲାଣି। ବିଜୟାଦଶମୀର ଉତ୍ସବମୁଖର ପରିବେଶ ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକର ଜୁରାଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ଡିଜେର କର୍ଣ୍ଣକଟୁ ଶବ୍ଦ ବଦଳରେ ପାରମ୍ପରିକ ମୃଦଙ୍ଗ, ଝାଞ୍ଜ ଓ ଘଣ୍ଟର ତାଳେ ତାଳେ ମା’ଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ। ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ଅନ୍ତର୍ଗତ ଜୁରାଗଡ଼ିଆ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗୋତ୍ସବର ସମାପନ ପରେ ଚାଲିଛି ମା’ଙ୍କ ଭସାଣି ଯାତ୍ରା। ତେବେ ଏଠାରେ ଆଧୁନିକତାର ଚାକଚକ୍ୟ ଅପେକ୍ଷା ନିଜ ମାଟିର ପରମ୍ପରାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଗ୍ରାମବାସୀ। ପୂଜା କମିଟି ଓ ସ୍ଥାନୀୟ ଲୋକଙ୍କ ମିଳିତ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଭସାଣିରେ ଡିଜେ ବ୍ୟବହାର କରାଯାଉନାହିଁ। ବରଂ ମୃଦଙ୍ଗ, ଝାଞ୍ଜ, ଘଣ୍ଟ ଓ ଅନ୍ୟ ପାରମ୍ପରିକ ବାଦ୍ୟର ତାଳରେ ନାଚିକୁଦି ମା’ଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ। ଭକ୍ତି ଓ ଉତ୍ସାହରେ ଭରା ଏହି ପରିବେଶ ଭସାଣିକୁ ଦେଇଛି ଏକ ଭିନ୍ନ ପରିଚୟ। ଅନ୍ୟପଟେ, ଶବ୍ଦ ପ୍ରଦୂଷଣରୁ ଦୂରେଇ ରହି ଶୃଙ୍ଖଳିତ ଢଙ୍ଗରେ ପର୍ବ ପାଳନ କରିବାର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟୁଛି। ଆଧୁନିକତାର ଭିଡ଼ ଭିତରେ ନିଜ ପରମ୍ପରାକୁ ବଞ୍ଚାଇ ରଖିବାର ଏହି ଉଦାହରଣ ଅନ୍ୟ ପୂଜା କମିଟିଗୁଡ଼ିକୁ ମଧ୍ୟ ପ୍ରେରଣା ଦେଇପାରେ।
