SC Cancels Bail Of MLA:ପୁଣି ଜେଲ୍ ଯିବେ ବିଧାୟକ ଅନନ୍ତ ସିଂ
ଡିସେମ୍ୱର ୧ ସୁଦ୍ଧା ସରେଣ୍ଡର କରିବାକୁ ଦେଲେ ନିର୍ଦ୍ଦେଶ। ଏହା ସହ ୪ ସପ୍ତାହ ଭିତରେ ତଦନ୍ତ ସାରିବାକୁ ବିହାର ପୁଲିସକୁ ବି ଦେଲେ ଆଦେଶ। ଦଳବିରୋଧୀ କାର୍ଯ୍ୟକଳାପରେ ଜେଡିୟୁରୁ ବହିଷ୍କୃତ ହୋଇସାରିଛନ୍ତି ଅନନ୍ତ ସିଂ।ଅପରାଧର ଗମ୍ଭୀରତା ଓ ଅନନ୍ତ ସିଂଙ୍କ ପୁରୁଣା ଅପରାଧିକ ଇତିହାସକୁ ଧ୍ୟାନ ଦେଇନାହାନ୍ତି ପାଟନା ହାଇକୋର୍ଟ।

ପୁଣି ଜେଲ୍ ଯିବେ ବିଧାୟକ ଅନନ୍ତ ସିଂ। ଦୁଲାରଚାନ୍ଦ ଯାଦବ ହତ୍ୟାକାଣ୍ଡରେ ମୋକାମା ବିଧାୟକ ଅନନ୍ତ ସିଂଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ। ଡିସେମ୍ୱର ୧ ସୁଦ୍ଧା ସରେଣ୍ଡର କରିବାକୁ ଦେଲେ ନିର୍ଦ୍ଦେଶ। ଏହା ସହ ୪ ସପ୍ତାହ ଭିତରେ ତଦନ୍ତ ସାରିବାକୁ ବିହାର ପୁଲିସକୁ ବି ଦେଲେ ଆଦେଶ। ଦଳବିରୋଧୀ କାର୍ଯ୍ୟକଳାପରେ ଜେଡିୟୁରୁ ବହିଷ୍କୃତ ହୋଇସାରିଛନ୍ତି ଅନନ୍ତ ସିଂ। ଜଷ୍ଟିସ ଏମ.ଏମ. ସୁନ୍ଦରେଶ ଓ ଜଷ୍ଟିସ ପି.ବି. ବରାଲେଙ୍କ ଖଣ୍ଡପୀଠ ପାଟନା ହାଇକୋର୍ଟ ଦେଇଥିବା ଜାମିନ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଅପରାଧର ଗମ୍ଭୀରତା ଓ ଅନନ୍ତ ସିଂଙ୍କ ପୁରୁଣା ଅପରାଧିକ ଇତିହାସକୁ ଧ୍ୟାନ ଦେଇନାହାନ୍ତି ପାଟନା ହାଇକୋର୍ଟ। ଅନନ୍ତଙ୍କ ବିରୁଦ୍ଧରେ ୬୨ଟି ଗମ୍ଭୀର ମାମଲା ଅଛି। ଯେହେତୁ ଅନନ୍ତଙ୍କ ଝିଅ ବାହାଘର ନଭେମ୍ୱର ୨୫ରେ ଅଛି। ସେଥିଲାଗି କୋର୍ଟ ତାଙ୍କୁ ସରେଣ୍ଡର କରିବାକୁ ଡିସେମ୍ୱର ପହିଲା ଯାଏ ମହଲତ ଦେଇଛନ୍ତି। ଦୁଲାରଚାନ୍ଦ ଯାଦବଙ୍କ ନାତି ନୀରଜ କୁମାର ଅନନ୍ତଙ୍କ ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅକ୍ଟୋବର ୩୦,୨୦୨୫ରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦୁଲାରଚାନ୍ଦଙ୍କୁ ହତ୍ୟା କରାଯାଇଥିଲା।
କିଏ ଥିଲେ ଦୁଲାରଚନ୍ଦ ଯାଦବ?
ଦୁଲାରଚନ୍ଦ ଯାଦବ ବିହାରର ମୋକାମା ଅଞ୍ଚଳର ଜଣେ ପରିଚିତ ରାଜନୈତିକ କର୍ମୀ ଥିଲେ। ତାଙ୍କର ପୂର୍ବରୁ ଆରଜେଡି ସହ ସମ୍ପର୍କ ରହିଥିଲା। ପରେ ସେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସହ ଜଡ଼ିତ ହୋଇଥିଲେ। ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟରେ ସେ ମୋକାମା ଆସନର ଜନ ସୁରାଜ ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କ ପାଇଁ ପ୍ରଚାର କରୁଥିଲେ। ଅକ୍ଟୋବର ୩୦, ୨୦୨୫ରେ ପ୍ରଚାର ସମୟରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୭୫ ବର୍ଷୀୟ ଦୁଲାରଚନ୍ଦଙ୍କ ମୃତ୍ୟୁ ହୋଇଥିଲା।
କେମିତି ହୋଇଥିଲା ହତ୍ୟାକାଣ୍ଡ?
ଏହି ଘଟଣା ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ମୋକାମା ନିର୍ବାଚନମଣ୍ଡଳୀର ତାରତର ଗାଁ ନିକଟରେ ଘଟିଥିଲା। ଥାନାରେ ଏତଲା ଅନୁସାରେ ଅକ୍ଟୋବର ୩୦ ତାରିଖ ଅପରାହ୍ନ ପ୍ରାୟ ୩ଟା ୩୦ରେ ଅନନ୍ତ ସିଂହଙ୍କ ପ୍ରଚାର ଗାଡ଼ି ଓ ଜନ ସୁରାଜ ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ମୁହାଁମୁହିଁ ହୋଇଥିଲା।ଏହାପରେ ଉଭୟ ପକ୍ଷର ସମର୍ଥକଙ୍କ ମଧ୍ୟରେ ବଚସା ଓ ସଂଘର୍ଷ ହୋଇଥିଲା। ଦୁଲାରଚନ୍ଦଙ୍କୁ ଗାଡ଼ିରୁ ଟାଣି ବାହାର କରାଯାଇଥିବା ଅଭିଯୋଗ ରହିଛି। ଏଫ୍ଆଇଆର୍ରେ ଅନନ୍ତ ସିଂହ ଗୁଳି ଚଳାଇଥିବା ଏବଂ ଅନ୍ୟ କେତେକ ବ୍ୟକ୍ତି ଲୁହା ରଡ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ଏହାପରେ ଏକ ଥାର୍ ଗାଡ଼ି ଦୁଲାରଚନ୍ଦଙ୍କ ଉପରେ ଚଢ଼ାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ରହିଛି।
ପୋଷ୍ଟମର୍ଟମ୍ ରିପୋର୍ଟରେ କ'ଣ ଆସିଥିଲା?
ଏହି ମାମଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଦୁଲାରଚନ୍ଦଙ୍କ ମୃତ୍ୟୁର କାରଣ। ପ୍ରାରମ୍ଭରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା। କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟରେ ଅନ୍ୟ ତଥ୍ୟ ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ: ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ଚିହ୍ନ ଥିଲା। ଛାତିରେ ଗଭୀର ଆଘାତ ଲାଗିଥିଲା।ହୃତ୍ପିଣ୍ଡ ଓ ଫୁସ୍ଫୁସ୍ରେ ଗୁରୁତର ଆଘାତ ଥିଲା।ଫୁସ୍ଫୁସ୍ ଫାଟିବା ଓ ପଞ୍ଜରା ହାଡ଼ ଭାଙ୍ଗିବା ଭଳି ଆଘାତ ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ଡାକ୍ତରୀ ରିପୋର୍ଟ ଅନୁସାରେ, ଗୁଳି ଆଘାତ ମୃତ୍ୟୁର କାରଣ ନଥିଲା। ହୃତ୍ପିଣ୍ଡ ଓ ଫୁସ୍ଫୁସ୍ରେ ଭାରୀ ଓ ଭୋଥରା ଜିନିଷର ଆଘାତ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ ଏବଂ ହୃଦ୍-ଶ୍ୱାସକ୍ରିୟା ବିଫଳତା ମୃତ୍ୟୁର କାରଣ ଥିଲା।
ଅନନ୍ତ ସିଂହଙ୍କ ଗିରଫ ଓ ନିର୍ବାଚନୀ ବିଜୟ
୨୦୨୫ ନଭେମ୍ୱର ୧ ତାରିଖ ରାତିରେ ପୋଲିସ ଅନନ୍ତ ସିଂହଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ମଣିକାନ୍ତ ଠାକୁର ଓ ରଣଜିତ୍ ରାମଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କିନ୍ତୁ ଏହି ଗିରଫ ପରେ ମଧ୍ୟ ଅନନ୍ତ ସିଂହଙ୍କ ରାଜନୈତିକ ପ୍ରଭାବ କମିନଥିଲା। ସେ ଜେଲ୍ରେ ଥାଇ ୨୦୨୫ ବିହାର ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ମୋକାମା ଆସନରୁ ବିଜୟୀ ହୋଇଥିଲେ। ସେ ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟ୍ରେ ପରାସ୍ତ କରିଥିଲେ।
ପାଟନା ହାଇକୋର୍ଟ କାହିଁକି ଜାମିନ୍ ଦେଇଥିଲେ?
୨୦୨୬ ମାର୍ଚ୍ଚ ୧୯ ତାରିଖରେ ପାଟନା ହାଇକୋର୍ଟ ଅନନ୍ତ ସିଂହଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଜଷ୍ଟିସ୍ ରୁଦ୍ର ପ୍ରକାଶ ମିଶ୍ରଙ୍କ ଖଣ୍ଡପୀଠ ତାଙ୍କୁ ୧୫ ହଜାର ଟଙ୍କାର ବଣ୍ଡ୍ରେ ଜାମିନ୍ ଦେଇଥିଲେ। ତେବେ କୋର୍ଟ କେତେକ ସର୍ତ୍ତ ରଖିଥିଲେ: ମାମଲାର ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବେ ନାହିଁ। ସାକ୍ଷୀମାନଙ୍କୁ ଧମକ ଦେବେ ନାହିଁ। ତଦନ୍ତ ଓ ବିଚାର ପ୍ରକ୍ରିୟାରେ ସହଯୋଗ କରିବେ। ଏହାପରେ ଦୁଲାରଚନ୍ଦଙ୍କ ନାତି ନୀରଜ କୁମାର ହାଇକୋର୍ଟଙ୍କ ଜାମିନ୍ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ହାଇକୋର୍ଟ ଜାମିନ୍ ଦେବା ସମୟରେ ଅପରାଧର ଗମ୍ଭୀରତା ଓ ଅନନ୍ତ ସିଂହଙ୍କ ପୂର୍ବ ଅପରାଧିକ ରେକର୍ଡକୁ ଯଥେଷ୍ଟ ଭାବେ ବିଚାର କରିନଥିବା ନେଇ ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିବା ରିପୋର୍ଟରେ କୁହାଯାଇଛି।
ଏହି ମାମଲାର ରାଜନୈତିକ ପ୍ରଭାବ କ'ଣ?
ଦୁଲାରଚନ୍ଦ ହତ୍ୟାକାଣ୍ଡ କେବଳ ଏକ ଅପରାଧିକ ମାମଲା ହୋଇ ରହିନାହିଁ। ଏହା ବିହାରର ନିର୍ବାଚନୀ ରାଜନୀତିକୁ ମଧ୍ୟ ପ୍ରଭାବିତ କରିଥିଲା। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଏହି ଘଟଣାକୁ ନେଇ ନ୍ୟାୟ ଦାବି କରିଥିଲା। ଆରଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନ ସମୟରେ ହିଂସାକୁ ବିରୋଧ କରିଥିଲେ।ନିର୍ବାଚନ କମିଶନ ଘଟଣାର ରିପୋର୍ଟ ମାଗିଥିଲେ। ଦୁଇ ଥାନାର ଥାନାଧିକାରୀଙ୍କୁ ଦାୟିତ୍ୱରେ ଅବହେଳା ଅଭିଯୋଗରେ ନିଲମ୍ୱନ କରାଯାଇଥିଲା।
