Cross Voting Case:କ୍ରସ୍ ଭୋଟିଂ ମାମଲାରେ ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟ ନୋଟିସ
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବି ମାମଲାରେ ନୂଆ ମୋଡ଼। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ପରେ ୫ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।
କଟକ:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପ୍ରସଙ୍ଗକୁ ନେଇ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ୫ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର। ଆସନ୍ତା ଡିସେମ୍ବର ୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ, ୮ ଜଣ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ପକ୍ଷରୁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ତେବେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ମାମଲାର ଶୁଣାଣି ସମୟରେ ବାଚସ୍ପତି ନିଜ ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କରନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା। ଅନ୍ୟପଟେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହାକୁ ଦୃଢ଼ ବିରୋଧ କରିଥିଲେ। ଆଇନ ଅନୁଯାୟୀ, ବାଚସ୍ପତି ଥରେ ନିଷ୍ପତ୍ତି ନେବା ପରେ ତାହାର ପୁନର୍ବିଚାର କରିପାରିବେ ନାହିଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ ବୋଲି ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
