Soap Instead Of Mobile:ମୋବାଇଲ୍ ବଦଳରେ ମିଳିଲା ସାବୁନ
ଅନଲାଇନ୍ରେ ମୋବାଇଲ୍ ଫୋନ୍ ଅର୍ଡର କରିଥିଲେ ମହିଳା, କିନ୍ତୁ ପାର୍ସଲ ଖୋଲିବା ପରେ ମିଳିଲା ଲାଇଫ୍ବୟ ସାବୁନ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ନମିଳିବାରୁ ମାମଲା ଉପଭୋକ୍ତା କମିଶନରେ ପହଞ୍ଚିଥିଲା। ଏବେ ଗ୍ରାହକଙ୍କୁ ସୁଧ ସହ ଟଙ୍କା ଫେରାଇବାକୁ ଫ୍ଲିପକାର୍ଟକୁ ନିର୍ଦ୍ଦେଶ ମିଳିଛି।
ନୂଆଦିଲ୍ଲୀ: ଅନଲାଇନ୍ ସପିଂ କରିବା ସମୟରେ ମୋବାଇଲ୍ ଫୋନ୍ ବଦଳରେ ପାର୍ସଲରୁ ବାହାରିଲା ଲାଇଫ୍ବୟ ସାବୁନ। ଏହି ଘଟଣାରେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟକୁ ଦାୟୀ କରିଛନ୍ତି ଦିଲ୍ଲୀର ଉପଭୋକ୍ତା କମିଶନ। ଗ୍ରାହକଙ୍କୁ ମୋବାଇଲ୍ର ଦାମ ୧୦,୫୭୪ ଟଙ୍କା ସୁଧ ସହ ଫେରାଇବା ସହ ଅତିରିକ୍ତ ୧୦ ହଜାର ଟଙ୍କା ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ଅର୍ଥରାଶି ୨୦,୫୭୪ ଟଙ୍କା, ଏଥିରେ ରିଫଣ୍ଡ ଉପରେ ଧାର୍ଯ୍ୟ ସୁଧ ଅଲଗା।ଘଟଣାଟି ମୌସମ ମୀନାଙ୍କ ସହ ଜଡ଼ିତ। ସେ ୨୦୨୧ ଅକ୍ଟୋବର ୨୪ ତାରିଖରେ ଫ୍ଲିପକାର୍ଟ ଆପ୍ ମାଧ୍ୟମରେ ୧୦,୫୭୪ ଟଙ୍କାରେ ଏକ Realme Narzo 50A ସ୍ମାର୍ଟଫୋନ୍ ଅର୍ଡର କରିଥିଲେ। ଅକ୍ଟୋବର ୨୫ରେ ପାର୍ସଲ ଡେଲିଭରି ହୋଇଥିଲା। କିନ୍ତୁ ପ୍ୟାକେଟ୍ ଖୋଲିବା ପରେ ମୋବାଇଲ୍ ବଦଳରେ ଲାଇଫ୍ବୟ ସାବୁନ୍ର କିଛି ବାର୍ ମିଳିଥିଲା।ଏହାପରେ ମୌସମ ଫ୍ଲିପକାର୍ଟ ନିକଟରେ ଅଭିଯୋଗ କରିବା ସହ ଆବଶ୍ୟକ ଦସ୍ତାବିଜ ଓ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ତଥାପି ତାଙ୍କ ସମସ୍ୟାର ସମାଧାନ ହୋଇନଥିଲା। ଶେଷରେ ସେ ଉପଭୋକ୍ତା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।ଅନ୍ୟପଟେ, ଫ୍ଲିପକାର୍ଟ ନିଜକୁ କେବଳ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କାରବାର ସୁବିଧା ଯୋଗାଉଥିବା ଏକ ଅନଲାଇନ୍ ପ୍ଲାଟଫର୍ମ ବୋଲି ଦର୍ଶାଇଥିଲା। ମୋବାଇଲ୍ ବିକ୍ରେତା ଏବଂ ଡେଲିଭରି ସଂସ୍ଥା ଉପରେ ଦାୟିତ୍ୱ ଠେଲିବାକୁ ମଧ୍ୟ ଉଦ୍ୟମ କରିଥିଲା। କିନ୍ତୁ ଉପଭୋକ୍ତା କମିଶନ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ।କମିଶନଙ୍କ ମତରେ, ଅନଲାଇନ୍ ପ୍ଲାଟଫର୍ମରେ କାରବାର କରୁଥିବା ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବା ଏବଂ ଆବଶ୍ୟକ ସହାୟତା ଯୋଗାଇବା ପ୍ଲାଟଫର୍ମର ଦାୟିତ୍ୱ। ଏହି ଆଧାରରେ ଫ୍ଲିପକାର୍ଟକୁ ସେବାରେ ଅବହେଳା ଓ ଅନୁଚିତ ବ୍ୟବସାୟିକ ଆଚରଣ ପାଇଁ ଦାୟୀ କରାଯାଇଛି। କମିଶନ ୬୦ ଦିନ ମଧ୍ୟରେ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଏହି ସମୟ ମଧ୍ୟରେ ଦେୟ ପ୍ରଦାନ ନହେଲେ ନିର୍ଦ୍ଦେଶ ଅନୁଯାୟୀ ବାର୍ଷିକ ୮ ପ୍ରତିଶତ ସୁଧ ଲାଗୁ ହେବ।
