Lawyers Protest:ଆହ୍ଲାବାଦ ହାଇକୋର୍ଟରେ ଭଙ୍ଗାରୁଜା
ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟରେ ଓକିଲଙ୍କ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିବା ଅଭିଯୋଗ ହୋଇଛି। ଜଷ୍ଟିସ୍ ଅଜୟ ଭନୋଟଙ୍କ କୋର୍ଟରେ ଆସବାବପତ୍ର ଫିଙ୍ଗାଯିବା ପରେ ଘଟଣାର CCTV ଫୁଟେଜ୍ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟରେ ବୁଧବାର ଓକିଲଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଉତ୍ତେଜନା ଦେଖାଦେଇଛି। ଜଷ୍ଟିସ୍ ଅଜୟ ଭନୋଟଙ୍କ କୋର୍ଟ ଭିତରେ ଆସବାବପତ୍ର ଫିଙ୍ଗାଯିବା ସହ ହଙ୍ଗାମା ହୋଇଥିବା ରିପୋର୍ଟ ମିଳିଛି। ଘଟଣାକୁ ଗମ୍ଭୀରତାର ସହ ନେଇ ଜଷ୍ଟିସ୍ ଅରୁଣ କୁମାର ସିଂହ ଦେଶୱାଲ କୋର୍ଟ ପରିସରରେ ହୋଇଥିବା ଏହି ଆଚରଣକୁ ଅଦାଲତ ଅବମାନନା ବୋଲି ବିବେଚନା କରିଛନ୍ତି। ଘଟଣାର CCTV ଫୁଟେଜ୍ ସଂଗ୍ରହ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରେଜିଷ୍ଟ୍ରାର୍ (ପ୍ରୋଟୋକଲ୍)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିବାଦର ମୂଳ କାରଣ ଥିଲା କୋର୍ଟ କକ୍ଷରେ ବସିବା ବ୍ୟବସ୍ଥା। ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ର ଅଭିଯୋଗ ଅନୁସାରେ, ଅଦାଲତରେ ପୁଲିସ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ଅଲଗା ଚେୟାର୍ ବ୍ୟବସ୍ଥା କରାଯାଉଥିଲା। ଏହି ସମୟରେ ଜଣେ ପୁଲିସ ଅଧୀକ୍ଷକ (SP) ସାଧାରଣତଃ ଓକିଲଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ିରେ ବସିଥିଲେ। ଅକ୍ଟୋବର ୨୭ରେ ଜାରି ଏକ ଚିଠିରେ ବାର୍ ଆସୋସିଏସନ୍ ଅଭିଯୋଗ କରିଥିଲା ଯେ ଜଷ୍ଟିସ୍ ଅଜୟ ଭନୋଟ ସମ୍ପୃକ୍ତ ଓକିଲଙ୍କୁ ଜେଲ୍ ପଠାଇବାକୁ ଧମକ ଦେଇଥିଲେ। ଓକିଲ ଜଣକ କ୍ଷମା ମାଗିବାକୁ ଉଦ୍ୟମ କରିବା ସମୟରେ ବିଚାରପତି ତାଙ୍କୁ ପୁଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ବାଧ୍ୟ କରିଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହ ଶୁଣାଣି ସମୟରେ ଜଣେ ବରିଷ୍ଠ ଓକିଲଙ୍କୁ ଉପହାସ କରାଯାଇଥିବା ଦାବି କରାଯାଇଛି। ଏହି ଅଭିଯୋଗଗୁଡ଼ିକରେ ହସ୍ତକ୍ଷେପ କରିବାକୁ ବାର୍ ଆସୋସିଏସନ୍ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲା। ଦାବି ଉପରେ ପଦକ୍ଷେପ ନିଆ ନଗଲେ ଜଷ୍ଟିସ୍ ଭନୋଟଙ୍କ କୋର୍ଟକୁ ବର୍ଜନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।
