Freelance Journalists:ସମସ୍ତେ ସାମ୍ବାଦିକ ହେଲେ ସମସ୍ୟା: CJI ସୂର୍ଯ୍ୟକାନ୍ତ
ପ୍ରତିବାଦସ୍ଥଳରେ କ୍ୟାମେରା ଓ ମାଇକ୍ ଧରି ପହଞ୍ଚୁଥିବା ସମସ୍ତେ କ’ଣ ସାମ୍ବାଦିକ? ଫ୍ରିଲାନ୍ସ ସାମ୍ବାଦିକ ଏବଂ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ଅଧିକାର ସୁରକ୍ଷା ଦାବି ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଏବେ ଏହି ପ୍ରଶ୍ନକୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିଛି। ପୁଲିସର ଗାଇଡ୍ଲାଇନ୍ଠାରୁ ଆରମ୍ଭ କରି ରିଲ୍ ନିର୍ମାତାଙ୍କ ଭୂମିକା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଏବେ ଚର୍ଚ୍ଚାରେ।
ନୂଆଦିଲ୍ଲୀ: ହାତରେ ମୋବାଇଲ୍, ମାଇକ୍ କିମ୍ବା କ୍ୟାମେରା ଧରିଦେଲେ କ’ଣ ଜଣେ ସାମ୍ବାଦିକ ହୋଇଯାଆନ୍ତି? ଫ୍ରିଲାନ୍ସ ସାମ୍ବାଦିକ, ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଓ ରିଲ୍ ନିର୍ମାତାଙ୍କ ଅଧିକାର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଦେଶର ପ୍ରତ୍ୟେକ ନାଗରିକ ସାମ୍ବାଦିକ ହେବାକୁ ଦାବି କଲେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଅକ୍ଟୋବର ୧୫ରେ ଏହି ମାମଲାର ଶୁଣାଣି କରିଥିଲେ।
ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ପୁଲିସ ପ୍ରତିବାଦ ଓ ଆନ୍ଦୋଳନକୁ କଭର୍ କରୁଥିବା ଫ୍ରିଲାନ୍ସ ସାମ୍ବାଦିକଙ୍କୁ ସାମ୍ବାଦିକ ଭାବେ ସ୍ୱୀକୃତି ଦେଉନାହିଁ। ଜୟସିଂହ ଦାବି କରିଥିଲେ ଯେ,ସ୍ୱାଧୀନ ଓ ଫ୍ରିଲାନ୍ସ ସାମ୍ବାଦିକଙ୍କୁ ଖବର ସଂଗ୍ରହରୁ ରୋକିବା ଉଚିତ୍ ନୁହେଁ। ଏଥିପାଇଁ ଦେଶବ୍ୟାପୀ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବା ଉଚିତ।
ବିବାଦର ଆରମ୍ଭ ଦିଲ୍ଲୀ ପୁଲିସର ପୂର୍ବ ଗାଇଡ୍ଲାଇନ୍ରୁ ହେଇଛି। ଅକ୍ଟୋବର ୫ରେ ପୁଲିସ ପ୍ରତିବାଦ କଭର୍ କରୁଥିବା ସାମ୍ବାଦିକଙ୍କୁ ନିଜ ସଂସ୍ଥାର ପରିଚୟପତ୍ର କିମ୍ବା PIB/DIP ମାନ୍ୟତାପତ୍ର ସାଙ୍ଗରେ ରଖିବା ଏବଂ ତାହାକୁ ଦୃଶ୍ୟମାନ ଭାବେ ପ୍ରଦର୍ଶନ କରିବାକୁ କହିଥିଲା। ଏହା ପୂର୍ବରୁ ଜନ୍ତରମନ୍ତରରେ ପ୍ରତିବାଦ କଭର୍ କରୁଥିବା ମହିଳା ସାମ୍ବାଦିକଙ୍କ ସହ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ଆସିଥିଲା। ପରବର୍ତ୍ତୀ ସମୟରେ ଅକ୍ଟୋବର ୧୦ ଓ ୧୧ରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ପ୍ରତିବାଦ କଭରେଜ୍କୁ ନେଇ ସାମ୍ବାଦିକଙ୍କୁ ଅଟକ ରଖିବା, ଧକ୍କା ଦେବା ଓ ସେମାନଙ୍କ ଉପକରଣ ନେଇଯିବା ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା। ଏହି ଅଭିଯୋଗଗୁଡ଼ିକୁ ନେଇ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ବିଚାରପତି ବାଗଚୀ କହିଥିଲେ ଯେ, ସାମ୍ବାଦିକଙ୍କ ବିଭିନ୍ନ ବର୍ଗ ରହିଛି। ଏଥିରେ ମାନ୍ୟତାପ୍ରାପ୍ତ ସାମ୍ବାଦିକ, ପଞ୍ଜୀକୃତ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା ସାମ୍ବାଦିକ, ଫ୍ରିଲାନ୍ସ ସାମ୍ବାଦିକ, ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଏବଂ ରିଲ୍ ନିର୍ମାତା ସାମିଲ ଅଛନ୍ତି। ତେଣୁ ସେମାନଙ୍କ ପରିଚୟ ଓ କାର୍ଯ୍ୟକୁ ଭିନ୍ନ ଭାବେ ବିଚାର କରିବା ଆବଶ୍ୟକ।
ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଥିଲେ, ମୋବାଇଲ୍ ଓ ମାଇକ୍ ଧରିଥିବା ଅନେକ ବ୍ୟକ୍ତି ନିଜକୁ ସାମ୍ବାଦିକ କହୁଛନ୍ତି। କିଏ ପ୍ରକୃତ ସ୍ୱାଧୀନ ସାମ୍ବାଦିକ ଏବଂ କିଏ କେବଳ ରିଲ୍ ତିଆରି କରୁଛନ୍ତି, ତାହା ଚିହ୍ନିବା କଷ୍ଟକର ହେଉଛି ବୋଲି ସେ ଯୁକ୍ତି ରଖିଥିଲେ। ତେବେ ମହିଳା ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାରକୁ ସେ ମଧ୍ୟ ସମର୍ଥନ କରିନଥିଲେ। ଖଣ୍ଡପୀଠ କହିଛନ୍ତି, ସାମ୍ବାଦିକଙ୍କ ବିଭିନ୍ନ ବର୍ଗ ଓ ସେମାନଙ୍କୁ ମିଳିବାକୁ ଥିବା ସୁରକ୍ଷା ସ୍ତର ଉପରେ ବିସ୍ତୃତ ବିଚାର ଆବଶ୍ୟକ। ଏହି ପ୍ରସଙ୍ଗରେ ନିୟମାବଳୀ ପ୍ରସ୍ତୁତ କରିବା ଦିଗରେ କୋର୍ଟ ବିଚାର କରୁଛନ୍ତି।
