Fundamental Rights:ଇଣ୍ଟରନେଟ୍ ବ୍ୟବହାର ପିଲାଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ
"ଇଣ୍ଟରନେଟ୍ ବ୍ୟବହାର କରିବାର ଅଧିକାର ପିଲାମାନଙ୍କ ପାଇଁ ମଧ୍ୟ ଏକ ମୌଳିକ ଅଧିକାର ଅଟେ, କେବଳ ବୟସ ଆଧାରରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇପାରିବ ନାହିଁ": ସୁପ୍ରିମକୋର୍ଟ | ଇଣ୍ଟରନେଟ୍ ବ୍ୟବହାର ଉପରେ ବୟସ ଆଧାରିତ ସମ୍ପୂର୍ଣ୍ଣ କଟକଣାକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ମତ ଡିଜିଟାଲ୍ ଅଧିକାର ଓ ଶିଶୁ ସୁରକ୍ଷାର ଚର୍ଚ୍ଚାକୁ ନୂଆ ଦିଗ ଦେଇଛି।
ନୂଆଦିଲ୍ଲୀ: ଇଣ୍ଟରନେଟ୍ ବ୍ୟବହାର କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଅଧିକାର। ଏହି ଅଧିକାର ପିଲାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଲାଗୁ ହେବ। ତେଣୁ କେବଳ ବୟସକୁ ଆଧାର କରି ପିଲାଙ୍କୁ ଇଣ୍ଟରନେଟ୍ କିମ୍ବା ସୋସିଆଲ୍ ମିଡିଆରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ ଜଷ୍ଟିସ୍ କେ. ଭିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଅକ୍ଟୋବର ୧୫ରେ ଏହି ରାୟ ଦେଇଛନ୍ତି। ସମ୍ବିଧାନର ଧାରା ୨୧ ଓ ଧାରା ୧୯(୧)(କ) ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ସହ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗୁରୁତ୍ୱ ଦେଇ କୋର୍ଟ କହିଛନ୍ତି ଯେ ପିଲାଙ୍କ ସୁରକ୍ଷା ଓ ସ୍ୱାଧୀନତା ପରସ୍ପର ବିରୋଧୀ ନୁହେଁ। ଉଭୟକୁ ସୁରକ୍ଷା ଦେବା ଆବଶ୍ୟକ। ଅନଲାଇନ୍ରେ ଥିବା ଅଶ୍ଳୀଳ ଓ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁର ବିପଦକୁ କୋର୍ଟ ସ୍ୱୀକାର କରିଥିଲେ ମଧ୍ୟ ଏଥିପାଇଁ ପିଲାଙ୍କ ଅଧିକାର ଛଡ଼ାଇ ନେବା ପୀଡ଼ିତଙ୍କୁ ହିଁ ସମସ୍ୟା ଭାବିବା ସହ ସମାନ | ଅଦାଲତଙ୍କ ଅନୁଯାୟୀ, ପ୍ରକୃତ ସମସ୍ୟା ସେହି ଲୋକମାନଙ୍କ ସହ ଜଡ଼ିତ ଯେଉଁମାନେ ପିଲାମାନଙ୍କ ଯୌନ ଶୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ ସୃଷ୍ଟି କରନ୍ତି, ବଣ୍ଟନ କରନ୍ତି କିମ୍ବା ବିକ୍ରି କରନ୍ତି।
ତେବେ,ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପିଲାମାନଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ କ୍ଷତିକାରକ ବିଷୟବସ୍ତୁ ତଥା ଏହାର ସୃଷ୍ଟି କିମ୍ବା ପ୍ରସାର ଉପରେ କେନ୍ଦ୍ରିତ ହେବା ଉଚିତ୍। କୋର୍ଟଙ୍କ ମତରେ, ଅନଲାଇନ୍ରେ ଅପରାଧ କରୁଥିବା ବ୍ୟକ୍ତି ଓ ଅପରାଧିକ ବିଷୟବସ୍ତୁ ହଟାଇବାରେ ବିଫଳ ହେଉଥିବା ପ୍ଲାଟଫର୍ମଗୁଡ଼ିକ ଉପରେ କଟକଣା ଲଗାଯାଉ। ପିଲାଙ୍କ ଆକାଉଣ୍ଟ ପାଇଁ ‘ଚାଇଲ୍ଡ ମୋଡ୍’, ଅଭିଭାବକଙ୍କ ତଦାରଖ ଏବଂ ଅଜଣା ବୟସ୍କଙ୍କ ଯୋଗାଯୋଗ ଉପରେ କଟକଣା ଭଳି ସୁରକ୍ଷା ବ୍ୟବସ୍ଥାକୁ ବିଚାର କରିବାକୁ କୁହାଯାଇଛି। ଏଥିସହ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ ଚିହ୍ନଟ ଓ ହଟାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।
