CJI Raps Lawyer:ରାହୁଲଙ୍କ ବିରୁଦ୍ଧରେ କହିବାରୁ ବର୍ଷିଲେ ସିଜେଆଇ..ନ୍ୟୁଜ୍ ଚାନେଲ କଥା କହି ଓକିଲଙ୍କୁ ଭର୍ତ୍ସନା
କୌଣସି ନ୍ୟୁଜ ଚାନେଲ ସହ ଏ ବାବଦରେ କଥା ହୋଇଛ ବୋଧେ। ଜଣେ ଆଇନଜୀବିଙ୍କୁ ପଚାରି ଏଭଳି ଶବ୍ଦରେ ଭର୍ତ୍ସନା କଲେ ସିଜେଆଇ। ସିଜେଆଇ କହିଥିଲେ, ନା ଏ ପିଟିସନରେ କୌଣସି ସ୍ପଷ୍ଟ ଆଧାର ଦେଖାଯାଉଛି ନା କୌଣସି ସ୍ପଷ୍ଟ ନିଷ୍କର୍ସ। ବଡ଼ ଉଲ୍ଲେଖନୀୟ କଥା ଯେ, ଏହି ଘଟଣାକ୍ରମରେ ସିଜେଆଇ ଏକ ମହତ୍ତ୍ୱପୂର୍ଣ୍ଣ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ସେ ଅଦାଲତ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯେ, ଆଗକୁ ଏ ମାମଲାରେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଉ।

ନା ହେଡ୍ ଅଛି ନା ଟେଲ୍। କୌଣସି ନ୍ୟୁଜ ଚାନେଲ ସହ ଏ ବାବଦରେ କଥା ହୋଇଛ ବୋଧେ। ଜଣେ ଆଇନଜୀବିଙ୍କୁ ପଚାରି ଏଭଳି ଶବ୍ଦରେ ଭର୍ତ୍ସନା କଲେ ସିଜେଆଇ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ପିଟିସନକୁ ନେଇ ବର୍ଷିଛନ୍ତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ। ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଓକିଲ ଏହାକୁ ଶୁଣାଣୀ ଲାଗି ତାଲିକାଭୁକ୍ତ କରିବାକୁ ଦାବି କରୁଥିଲେ। ଓକିଲ କହିଥିଲେ ଯେ, ରାହୁଲ ଗାନ୍ଧୀ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ, ସେ ଇଡି ଓ ସିବିଆଇର ପ୍ରାୟ ୨ଶହ ଅଧିକାରୀଙ୍କ ସମ୍ପର୍କରେ ଅଛନ୍ତି। ସେତିକିବେଳେ ସିଜେଆଇ କହିଥିଲେ, ନା ଏ ପିଟିସନରେ କୌଣସି ସ୍ପଷ୍ଟ ଆଧାର ଦେଖାଯାଉଛି ନା କୌଣସି ସ୍ପଷ୍ଟ ନିଷ୍କର୍ସ। ବଡ଼ ଉଲ୍ଲେଖନୀୟ କଥା ଯେ, ଏହି ଘଟଣାକ୍ରମରେ ସିଜେଆଇ ଏକ ମହତ୍ତ୍ୱପୂର୍ଣ୍ଣ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ସେ ଅଦାଲତ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯେ, ଆଗକୁ ଏ ମାମଲାରେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଉ। ସିଜେଆଇଙ୍କ ଏହି ଟିପ୍ପଣୀ ଓ ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ସାଜିଛି। ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ପୁରୁଣା ମାମଲା ଅଟେ। କର୍ଣ୍ଣାଟକର ବିଜେପି କର୍ମୀ ଏସ.ବିଗ୍ନେଶ ଶିଶିର ଏହି ପିଟିସନ କରିଥିଲେ। ଆବେଦନକାରୀ ଆରୋପ ଲଦିଥିଲେ ଯେ, ରାହୁଲ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ପାଖରେ ଆୟ ତୁଳନାରେ ଅଧିକ ସମ୍ପତ୍ତି ଅଛି। ସେଥିଲାଗି ସଂପୃକ୍ତ ତଦନ୍ତ ଏଜେନ୍ସି ଦ୍ୱାରା ଏହାର ଯାଞ୍ଚ କରାଯାଉ। ଏ ଆରୋପ ପରେ ମାମଲା ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ଖଣ୍ଡପୀଠରେ ପହଞ୍ଚିଥିଲା। ମେ ୨୦୨୬ରେ ହାଇକୋର୍ଟ ସିବିଆଇ ଓ ଇଡିକୁ ଅଭିଯୋଗର ସତ୍ୟାସତ୍ୟ ଓ ମାମଲାରେ ପ୍ରଗତି ନେଇ ତଥ୍ୟ ଦେବାକୁ କହିଥିଲେ। ଏହା ପରେ ଜୁଲାଇ ୨୦, ୨୦୨୬ରେ ସିବିଆଇ ଦ୍ୱାରା ଦାଖଲ ସତ୍ୟପାଠକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ହାଇକୋର୍ଟ। ତଦନ୍ତର ଅଗ୍ରଗତି ବାବଦରେ ନୂଆ ତଥ୍ୟ ଦେବାକୁ କହିଥିଲେ। ଇଡି କୁ ବି କହିଥିଲେ, ଯଦି ତଦନ୍ତ ବେଳେ କୌଣସି ବେଆଇନ ଗତିବିଧିରୁ ସାମଗ୍ରୀ ମିଳୁଛି, ତାହେଲେ ଏଜେନ୍ସି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି କପିଲ ସିବଲ ଦଲିଲ ଦେଇ ଯୁକ୍ତି ଦର୍ଶାଇଥିଲେ ଯେ, ଏଭଳି କାର୍ଯାନୁଷ୍ଠାନ ଆଗକୁ ବଢ଼ିଲେ, ଏହା ଆଇନ ଅନୁରୂପ ନୁହେଁ। ଆବେଦନକାରୀଙ୍କ ଉଦ୍ଦେଶ୍ୟକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଅଗଷ୍ଟ ୧୭, ୨୦୨୬ରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ଜୟମାଲ୍ୟ ବାଗଚି ଓ ଜଷ୍ଟିସ ବି.ମୋହନା ବି ଅଛନ୍ତି। ସୁପ୍ରିମକୋର୍ଟ ଆଗକୁ ଏ ମାମଲାରେ ଶୁଣାଣୀ ସ୍ଥଗିତ ରଖିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ। ସିବିଆଇ, ଇଡି ବା କୌଣସି ସମ୍ୱନ୍ଧିତ ଏଜେନ୍ସି ହାଇକୋର୍ଟ ଆଗରେ କୌଣସି ରିପୋର୍ଟ ଦାଖଲ ନ କରିବାକୁ କହିଥିଲେ। ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପରବର୍ତ୍ତୀ ଆଦେଶ ଦେଇନାହାନ୍ତି।
