Student Protest : ଦାବି ପୂରଣ ନହେବାରୁ ଛାତ୍ର ଉତ୍ତେଜନା
ଛାତ୍ର ସଂସଦ ନିର୍ବାଚନକୁ ନେଇ କୁପାରୀ ମହତାବ କଲେଜରେ ହଙ୍ଗାମା ! ଚୟନ ପ୍ରକ୍ରିୟାରେ ପାତରଅନ୍ତର ଓ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଛାତ୍ରଛାତ୍ରୀ। ଭଙ୍ଗାରୁଜା ଅଭିଯୋଗ ପରେ କଲେଜ ଛୁଟି ଘୋଷଣା, ତଥାପି ଥମୁନି ଉତ୍ତେଜନା |
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ କୁପାରୀସ୍ଥିତ ଡ. ହରେକୃଷ୍ଣ ମହତାବ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା। ଗତକାଲି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଶି ଚେୟାର, କମ୍ପ୍ୟୁଟର, ଟେବୁଲ ଓ ବିଭିନ୍ନ କାଗଜପତ୍ର ଫିଙ୍ଗାଫୋପଡ଼ା କରିବା ସହ କାଚ ସାମଗ୍ରୀ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା, ଚୟନ ପ୍ରକ୍ରିୟାରେ ପାତରଅନ୍ତର ହୋଇଥିବା ଏବଂ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣି ଛାତ୍ରଛାତ୍ରୀମାନେ ପ୍ରଥମେ ଗତକାଲି କଲେଜ ସମ୍ମୁଖରେ ଧାରଣା ଦେଇଥିଲେ | ତେବେ କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ ସେମାନଙ୍କ ଦାବିର ସମାଧାନ ହୋଇନଥିବା ଅଭିଯୋଗ କରି ଆଜି ପୁଣି ଆନ୍ଦୋଳନକୁ ଜୋରଦାର କରିଥିଲେ | ପ୍ରଥମେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିବା ପରେ କିଛି ଛାତ୍ରଛାତ୍ରୀ କାର୍ଯ୍ୟାଳୟ ଭିତରକୁ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିରେ ଚେୟାର, କମ୍ପ୍ୟୁଟର, ଟେବୁଲ ଓ କାଗଜପତ୍ର ଏଣେତେଣେ ଫିଙ୍ଗାଯିବା ସହ କାଚ ସାମଗ୍ରୀ ଭାଙ୍ଗିଥିବା ଜଣାପଡ଼ିଛି | ଖବର ପାଇ ଖଇରା ତହସିଲଦାର ଓ ଖଇରା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ତଥାପି ପରିସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଅଧ୍ୟକ୍ଷ କଲେଜ ଛୁଟି ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ପ୍ରଶାସନ ଓ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ଜାରି ରହିଥିବା ବେଳେ କଲେଜ ପରିସରରେ ଉତ୍ତେଜନା ଲାଗିରହିଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
