Body Recovered:ନଦୀରେ ଭାସୁଛି ଗଳିତ ମୃତଦେହ
କେନ୍ଦ୍ରାପଡ଼ା ରାଜନଗରର ହଂସୁଆ ନଦୀରୁ ଉଦ୍ଧାର ହୋଇଛି ଏକ ଗଳିତ ମୃତଦେହ। ମୃତଦେହଟି ମାସକ ତଳେ ଚର୍ଚ୍ଚାରେ ଥିବା ଶୁଭଶ୍ରୀ ଦାସଙ୍କର ବୋଲି ସନ୍ଦେହ ପ୍ରକାଶ ପାଇଛି। ତେବେ ପରିଚୟ ସ୍ପଷ୍ଟ କରିବ ତଦନ୍ତ।
କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ହଂସୁଆ ନଦୀରେ ଭାସୁଛି ଗଳିତ ମୃତଦେହ। ଦୀର୍ଘଦିନ ଧରି ପାଣିରେ ପଡ଼ି ରହିଥିବାରୁ ମୃତଦେହର ମାଂସ ଝଡ଼ି ଯାଇଥିବା ବେଳେ କଙ୍କାଳ ଦେଖିବାକୁ ମିଳିଛି। ରାଜନଗର ହଂସୁଆ ସେତୁ ଉପରେ ମୃତଦେହ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଛି। ତେବେ ଏହି ମୃତଦେହକୁ ନେଇ ଏବେ ଏକ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ଏକ ମାସ ତଳେ ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତଦେହକୁ ପରିବାର ଲୋକେ ପଥର ବାନ୍ଧି ହଂସୁଆ ନଦୀରେ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା। ସେହି ସ୍ଥାନଠାରୁ ମାତ୍ର ୨୦୦ ମିଟର ଦୂରରୁ ଏହି ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେଣୁ ଉଦ୍ଧାର ମୃତଦେହଟି ଶୁଭଶ୍ରୀଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ରାଜନଗର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତଦେହର ପରିଚୟ ଓ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ ବୋଲି ରାଜନଗର ଥାନା ଅଧିକାରୀ କହିଛନ୍ତି।
