Champua Sand Smuggling Exposed : ବିନା କାଗଜରେ ବାଲି ପରିବହନ
ଚମ୍ପୁଆରେ ବାଲି ଚୋରା ଚାଲାଣ ଉପରେ ପ୍ରଶାସନର ଆକ୍ସନ୍! ଅରଡେଇ ନଦୀ ବାଲିଘାଟରେ ତହସିଲଦାରଙ୍କ ଅଚାନକ ଚଢ଼ାଉ, ବିନା ଟ୍ରାନଜିଟ୍ ପାସ୍ରେ ବାଲି ନେଉଥିବା ୫ଟି ଟ୍ରାକ୍ଟର ଜବତ।
ଚମ୍ପୁଆ ତହସିଲ ଅଞ୍ଚଳରେ ପୁଣି ସକ୍ରିୟ ହୋଇଛି ବାଲି ଚୋରା ଚାଲାଣ | ସରକାରୀ ନିୟମକୁ ଉଲ୍ଲଂଘନ କରି ବିନା ଟ୍ରାନଜିଟ୍ ପାସ୍ରେ ବାଲି ପରିବହନ ଚାଲିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଚମ୍ପୁଆ ତହସିଲଦାର ଆକ୍ସନ୍ ମୋଡ୍କୁ ଆସିଛନ୍ତି। ସୂଚନା ଅନୁଯାୟୀ, ଆଜି ଚମ୍ପୁଆ ତହସିଲଦାର ରିମୁଳିସ୍ଥିତ ଅରଡେଇ ନଦୀ ବାଲିଘାଟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିନା ଆବଶ୍ୟକ କାଗଜପତ୍ରରେ ବାଲି ପରିବହନ କରୁଥିବା ୫ଟି ଟ୍ରାକ୍ଟରକୁ ଜବତ କରାଯାଇଛି।
ବେଆଇନ ବାଲି ଉତ୍ତୋଳନକୁ ନେଇ ଚିନ୍ତା
ଗତ ୧୫ ତାରିଖ ପରେ ପୂର୍ବରୁ ବନ୍ଦ ରହିଥିବା ବିଭିନ୍ନ ବାଲିଘାଟ ପୁଣି ଖୋଲିବା ପରେ ନଦୀରୁ ବାଲି ଉତ୍ତୋଳନ ଓ ପରିବହନ ଆରମ୍ଭ ହୋଇଛି। ଅନୁମୋଦିତ ବାଲିଘାଟ ବ୍ୟତୀତ କେତେକ ସ୍ଥାନରେ ବେଆଇନ ଭାବେ ବାଲି ଉଠାଯାଉଥିବା ଅଭିଯୋଗ ହେଉଛି। ବିନା ଟ୍ରାନଜିଟ୍ ପାସ୍ରେ ବାଲି ପରିବହନ ହେଉଥିବା ଖବର ପାଇ ତହସିଲଦାର ଏହି ଚଢ଼ାଉ କରିଥିଲେ। ଜବତ ୫ଟି ଟ୍ରାକ୍ଟରକୁ ନେଇ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ'ଣ ହେବ, ତାହା ଉପରେ ନଜର ରହିଛି।ବାଲି ଚୋରା ଚାଲାଣ ରୋକିବା ସହ ସରକାରୀ ରାଜସ୍ୱ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
