Dhenkanal-Eco-Tourism: ଢେଙ୍କାନାଳ ପର୍ଯ୍ୟଟନକୁ ନୂଆ ପରିଚୟ
ପ୍ରକୃତିର ମନୋରମ ପରିବେଶରେ ପର୍ଯ୍ୟଟନର ନୂଆ ଠିକଣା ଖୋଲିଛି ଢେଙ୍କାନାଳରେ। ପାକଟମୁଣ୍ଡା ଓ ତୁମୁସିଙ୍ଗାରେ ଆରମ୍ଭ ହୋଇଛି ଦୁଇଟି ଇକୋ-ଟୁରିଜିମ୍। ଏହାଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଛି ଆଉ ଦୁଇଟି ନୂଆ ଠିକଣା। ପ୍ରକୃତିର ସବୁଜିମା ଓ ମନୋରମ ପରିବେଶ ଭିତରେ ଆରମ୍ଭ ହୋଇଛି ପାକଟମୁଣ୍ଡା ଓ ତୁମୁସିଙ୍ଗା ଇକୋ-ଟୁରିଜିମ୍। କାମାକ୍ଷାନଗର ପଶ୍ଚିମାଞ୍ଚଳ ବନାଞ୍ଚଳ ଅଧୀନରେ ଥିବା ଏହି ଦୁଇ ପର୍ଯ୍ୟଟନସ୍ଥଳୀର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ରେଞ୍ଜର କୈଳାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଆରସିସିଏଫ୍ ସଞ୍ଜୟ ସ୍ୱାଇଁ, ଡିଏଫ୍ଓ ଲଳିତ କୁମାର ପାତ୍ର, ପୂର୍ବାଞ୍ଚଳ ରେଞ୍ଜର ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବନ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଦୁଇ ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଅଞ୍ଚଳରେ ପର୍ଯ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରକୃତିକୁ ନିକଟରୁ ଉପଭୋଗ କରିବା ସହ ଏହି ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ମଧ୍ୟ ଏହା ସହାୟକ ହୋଇପାରିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଇକୋ-ଟୁରିଜିମ୍ ଆରମ୍ଭ ହୋଇଥିବାରୁ ଏଠାରେ ଆହୁରି ମୌଳିକ ସୁବିଧାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ବିଦ୍ୟୁତ୍ ସଂଯୋଗ, ଉନ୍ନତ ଯାତାୟାତ ବ୍ୟବସ୍ଥା ଓ ଶୌଚାଳୟ ଭଳି ସୁବିଧା ଯୋଗାଇଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସୁବିଧା ଉପଲବ୍ଧ ହେଲେ ପାକଟମୁଣ୍ଡା ଓ ତୁମୁସିଙ୍ଗା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।
