Road or No Road Protest : ଓଡ଼ିଶାରେ ରାସ୍ତା ନାହିଁ ବୋଲି ଆନ୍ଧ୍ରରେ ମିଶିବାକୁ ଦାବି
୧୦ ବର୍ଷର ଅପେକ୍ଷା, ତଥାପି ମିଳିଲାନି ରାସ୍ତା! ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ୬ ଖଣ୍ଡ ଗାଁର ଶତାଧିକ ଲୋକ। ପ୍ରଶାସନକୁ ଗ୍ରାମବାସୀଙ୍କ ଚେତାବନୀ।
ରାସ୍ତା ନାହିଁ ତ ଭୋଟ୍ ନାହିଁ ! ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ରାସ୍ତା ନିର୍ମାଣ ସହ ମୌଳିକ ସୁବିଧା ଦାବିରେ ରାୟଗଡ଼ା ସଦର ବ୍ଲକ୍ର କେରେଡ଼ା ନିକଟ ରାଞ୍ଚି-ବିଜୟୱାଡ଼ା କରିଡରକୁ ଅବରୋଧ କରିଛନ୍ତି ୫ରୁ ୬ଟି ଗାଁର ଶତାଧିକ ଲୋକ। ଫଳରେ ଆନ୍ଧ୍ରପ୍ରଦେଶକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୧୦ ବର୍ଷ ଧରି ସେମାନେ ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି। ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସମାଧାନ ହେଉନାହିଁ। ୨୦୨୬ରେ ମଧ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ। ଆର୍ଡି ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ।ପ୍ରତିଶ୍ରୁତି ମିଳିଲା, ହେଲେ ରାସ୍ତା ହେଲାନି | ଅନ୍ୟପଟେ ପାହାଡ଼ କାଟି ରାସ୍ତା ନିର୍ମାଣ କରିବାକୁ ହୋଇଥିବା ଉଦ୍ୟମକୁ ମଧ୍ୟ ବନ୍ଦ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ପୁଡୁଗୁୱାଲସାରୁ ଆମ୍ପୁଲୁୱାଲସା ପର୍ଯ୍ୟନ୍ତ ପ୍ରାୟ ୨.୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ପ୍ରଶାସନ ଉଦ୍ୟମ କରିଥିଲା। କିନ୍ତୁ ଓଡ଼ିଶା ସୀମା ମଧ୍ୟରେ ରାସ୍ତା ନିର୍ମାଣକୁ ରାୟଗଡ଼ା ପ୍ରଶାସନ ବନ୍ଦ କରିବା ସହ ନିଜେ ପକ୍କା ରାସ୍ତା ନିର୍ମାଣ କରିବାକୁ କହିଥିଲା। ହେଲେ ପ୍ରତିଶ୍ରୁତି ସତ୍ତ୍ୱେ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।
ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ
ଦୀର୍ଘଦିନ ଧରି ରାସ୍ତା ଓ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିବା ଗ୍ରାମବାସୀ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ମିଶିବାକୁ ଅନୁମତି ଦେବା ଦାବିରେ ମଧ୍ୟ ଆନ୍ଦୋଳନ କରିଥିଲେ। ଏବେ ତୁରନ୍ତ ରାସ୍ତା ନିର୍ମାଣ ଆରମ୍ଭ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତା ଅବରୋଧ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି | ଘଟଣାସ୍ଥଳରେ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛନ୍ତି। ଏବେ ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା |
