Bandana Parab: ଜାତୀୟ ବାନ୍ଦନା ପରବ-୨୦୨୬: କୁଡୁମୀ ସମାଜକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜର ଆଗୁଆଡ଼ଠାରେ ଜାତୀୟ ବାନ୍ଦନା ପରବ-୨୦୨୬ରେ ଯୋଗଦେଇ କୁଡୁମୀ ସମାଜର ପରମ୍ପରା, ପ୍ରକୃତି ପ୍ରେମ ଓ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଆଗୁଆଡ଼ଠାରେ ଆୟୋଜିତ ଜାତୀୟ ବାନ୍ଦନା ପରବ-୨୦୨୬ର ସାଂସ୍କୃତିକ ମହାମିଳନ ଉତ୍ସବରେ ଯୋଗଦେଇ କୁଡୁମୀ ସମାଜର ପ୍ରାଚୀନ ପରମ୍ପରା, କର୍ମନିଷ୍ଠା ଓ ପ୍ରକୃତି ପ୍ରେମର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୁଡୁମୀ ସମାଜର ସାମାଜିକ, ଆର୍ଥିକ, ଶିକ୍ଷାଗତ ଓ ସାଂସ୍କୃତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ବାନ୍ଦନା କେବଳ ଏକ ପର୍ବ ନୁହେଁ, ଏହା ପ୍ରକୃତି, ମାଟି, ଗୋଧନ ଓ ମାନବୀୟ ସମ୍ପର୍କର ଜୀବନ୍ତ କାବ୍ୟ। ପ୍ରକୃତି ପୂଜା ଓ କୃଷି ସଂସ୍କୃତିର ଆରାଧନା ଏହି ପର୍ବର ମୂଳ ଆଧାର। କୁଡୁମୀ ସମାଜର ମାଟି ପ୍ରତି ଆନୁଗତ୍ୟ ଓ ପରିଶ୍ରମ ସମଗ୍ର ସମାଜ ପାଇଁ ପ୍ରେରଣାଦାୟକ। ମୟୂରଭଞ୍ଜକୁ ନିଜର ଦ୍ୱିତୀୟ ଘର ବୋଲି ଅଭିହିତ କରି ସେ ଏଠାକୁ ଆସି ଆତ୍ମୀୟତା ଓ ଆନନ୍ଦ ଅନୁଭବ କରୁଥିବା କହିଥିଲେ।

କୁଡୁମୀ ସମାଜର ଐତିହାସିକ ଅବଦାନ ଉଲ୍ଲେଖ କରି ସେ କହିଥିଲେ, ଏହି ପରିଶ୍ରମୀ କୃଷକ ସମ୍ପ୍ରଦାୟ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଛନ୍ତି। କୁଡୁମୀମାନଙ୍କୁ ଆଦିବାସୀ ତାଲିକାରେ ସାମିଲ ଏବଂ କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ଦାବି ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। କରମ ପର୍ବ, ଗୋଠ ପୂଜା ଓ ଟୁସୁଦେବୀଙ୍କ ବୀରତ୍ୱର ଗାଥା କୁଡୁମୀ ସମାଜର ସମୃଦ୍ଧ ପରମ୍ପରା ଓ ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଛି ବୋଲି ସେ କହିଥିଲେ। ଶିକ୍ଷା କ୍ଷେତ୍ରରେ କୁଡୁମୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ମଧ୍ୟ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶରାମ ସିଂ ଖୁଣ୍ଟିଆ କୁଡୁମୀ ସମାଜର ସାଂସ୍କୃତିକ ଅବଦାନ, ଅଞ୍ଚଳର ବିକାଶ, ପରିବେଶ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ଉପରେ ମତ ରଖିଥିଲେ। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀଙ୍କ ସମେତ ବହୁ ଜନପ୍ରତିନିଧି ଓ ବାନ୍ଦନା ପରବ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।
