Major Crackdown on Illegal Mining : ପୋଲିସ ଜବତ କଲା ୧୩ ପଥର ବୋଝେଇ ଗାଡ଼ି
ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ବେଆଇନ ଖଣି କାରବାର ଉପରେ ଖଣି ବିଭାଗ ଓ ପୋଲିସର ମିଳିତ ଚଢ଼ାଉ।

ବେଆଇନ ଖଣି କାରବାରର ପର୍ଦ୍ଦାଫାଶ କଲା ପୋଲିସ | ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଖଣି କାରବାର ଉପରେ ଜିଲ୍ଲା ଖଣି ବିଭାଗ ଓ ସଦର ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ୧୩ଟି ପଥର ବୋଝେଇ ଗାଡ଼ିକୁ ଜବତ କରାଯାଇଛି |ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ଚୋରା ଚାଲାଣ ହେଉଥିବା ନେଇ ଜିଲ୍ଲା ଖଣି ବିଭାଗ ନିକଟରେ ଅଭିଯୋଗ ହୋଇଥିଲା | ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଖଣି ବିଭାଗ ଓ ସଦର ପୋଲିସର ଏକ ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ଟି ପଥର ବୋଝେଇ ଗାଡ଼ି ଜବତ କରିବାରେ ସଫଳ ହୋଇଛି।ଏହି ଘଟଣାରେ ଖଣି ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବେଆଇନ ଖଣି କାରବାର ଓ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ପାଇଁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି | ଅନ୍ୟପକ୍ଷରେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ପାହାଡ଼ଗୁଡ଼ିକର ନିଲାମ ପ୍ରକ୍ରିୟା ହେଉନଥିବାରୁ ସେଠାରେ ବେଆଇନ ଖଣି କାରବାର ବୃଦ୍ଧି ପାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହାଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରତିବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏଭଳି ଗୁରୁତର ପ୍ରସଙ୍ଗ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ୁଥିବା ଦେଖାଯାଉଛି।ବେଆଇନ ଖଣି କାରବାର ଉପରେ ଅଙ୍କୁଶ ଲଗାଇବା ସହ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ଓ ରାଜସ୍ୱ କ୍ଷତି ରୋକିବା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି |
