ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ ଘଟଣା: ଦୁଇ ଅଭିଯୁକ୍ତ ଗିରଫ, ଆଉ ଦୁଇ ଫେରାର
ମାଣିଆବନ୍ଧ ଥାନା ଅଞ୍ଚଳରେ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଏବେ ମଧ୍ୟ ଫେରାର । କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ।
କଟକ: ମାଣିଆବନ୍ଧ ଥାନା ଅଞ୍ଚଳରେ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା । କଟକ ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଏବେ ମଧ୍ୟ ଫେରାର ରହିଛନ୍ତି। ଏନେଇ କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଗୁଳିକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଦୁଇ ଭାଇ ଦୁଷ୍ମନ୍ତ ପ୍ରଧାନ ଓ ଲକ୍ଷ୍ମୀକାନ୍ତ ପ୍ରଧାନ। ପୋଲିସ ସେମାନଙ୍କ ନିକଟରୁ ଗୁଳିକାଣ୍ଡରେ ବ୍ୟବହୃତ ବାଇକ ସହ ଦୁଇଟି ମୋବାଇଲ ଫୋନ ଜବତ କରିଛି। ତେବେ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଏପର୍ଯ୍ୟନ୍ତ ଜବତ ହୋଇନଥିବାବେଳେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଲାସି ଜାରି ରଖିଛି। ପୋଲିସର ସୂଚନା ଅନୁସାରେ, ଗୁଳିମାଡ଼ ଦିନ ଦୁଷ୍ମନ୍ତ ପ୍ରଧାନ ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କ ଭାଇ ଲକ୍ଷ୍ମୀକାନ୍ତ ପ୍ରଧାନ ତାଙ୍କୁ ସହଯୋଗ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଟେକ୍ନିକାଲ ଏଭିଡେନ୍ସ, ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ଠୋସ ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଦୁଇଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଚଳାଇଥିଲା। ବର୍ତ୍ତମାନ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିବା ପାଇଁ ପୋଲିସର ଅଭିଯାନ ଜାରି ରହିଛି।
