Journalist Beaten to Death: ବିଜ୍ଞାପନକୁ ନେଇ ସାମ୍ୱାଦିକଙ୍କୁ ପିଟିପିଟି ହତ୍ୟା
ଖବରକାଗଜ ପାଇଁ ଦୀପାବଳି ବିଜ୍ଞାପନ ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ ନସିମ ଅହମ୍ମଦ। କିନ୍ତୁ ଉତ୍ତରପ୍ରଦେଶର ହାପୁଡ଼ରେ ଏକ ଅଟାକଳରେ ବିବାଦ ପରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ସୂଚନା ପାଇ ପୋଲିସ ପହଞ୍ଚିଥିବା ବେଳେ ଏସ୍ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି।ପୋଲିସ ହତ୍ୟା ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ ଓ ଫରେନ୍ସିକ୍ ପ୍ରମାଣ ସଂଗ୍ରହ କରିଛି। ସାନ ଝିଅଙ୍କ ବିବାହ ନଭେମ୍ବର ୧୪ରେ ହେବାକୁ ଥିବାରୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଦୀପାବଳି ବିଜ୍ଞାପନକୁ ନେଇ ବିବାଦ ପରେ ସାମ୍ବାଦିକ ମହମ୍ମଦ ନସିମ ଅହମ୍ମଦଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାକୁ ଆସିଛି। ହିନ୍ଦୀ ଦୈନିକ ‘ଦୈନିକ ଜନବାଣୀ’ର ବ୍ୟୁରୋ ଚିଫ୍ ନସିମ ଅକ୍ଟୋବର ୧୮ ତାରିଖ ରବିବାର ଅପରାହ୍ନରେ ଜରୋଠି ରୋଡ୍ସ୍ଥିତ ଏକ ଅଟାକଳକୁ ବିଜ୍ଞାପନ ଆଣିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା | ଘଟଣା ସ୍ଥଳରେ ପୋଲିସ ପହଂଚି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ନସିମ ଦୀପାବଳି ବିଜ୍ଞାପନ ଆଣିବାକୁ ତାଙ୍କ ସହଯୋଗୀଙ୍କ ସହ ହାପୁଡ଼ ଦେହାତ ଥାନା ଅନ୍ତର୍ଗତ ଜରୋଠି ରୋଡ୍ରେ ଥିବା ଏକ ଅଟାକଳକୁ ଯାଇଥିଲେ। ସେଠାରେ ବ୍ୟବସାୟୀ ଅଶୋକ କୁମାର ବିଜ୍ଞାପନ ଦେବାକୁ ମନା କରି ସେମାନଙ୍କୁ ‘ନକଲି ସାମ୍ବାଦିକ’ କହିଥିଲେ। ପରେ ପ୍ରାୟ ୭ରୁ ୮ ଜଣ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଅଶୋକ କୁମାର ଗୁପ୍ତା, ତାଙ୍କ ପୁଅ କପିଲ, ସର୍ବୋଦୟ କଲୋନୀର ନରେଶ କୁମାର ଏବଂ ୪ରୁ ୫ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ନାମ ରହିଥିବାବେଳେ ନସିମ ବିରୋଧ କରିବାରୁ ତାଙ୍କୁ ଗୋଇଠା ଓ ମୁଥ ମାରି ଛାତି ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଦିଆଯାଇଥିବା ପ୍ରତ୍ୟକ୍ଷଦର୍ଶୀ ସଲାଉଦ୍ଦିନ କହିଛନ୍ତି।
ଗୁରୁତର ଅବସ୍ଥାରେ ନସିମଙ୍କୁ ହାପୁଡ଼ର ଏକ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ନସିମଙ୍କ ଜ୍ୱାଇଁ ଡାକ୍ତର ଶାହରୁଖଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏସ୍ପି ମଧୁବନ କୁମାର ସିଂ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ରିପୋର୍ଟ ଅନୁସାରେ, BNS ଧାରା ୧୦୩ (ହତ୍ୟା), ୩୫୧ (ଅପରାଧିକ ଧମକ), ୩୫୨ (ଜାଣିଶୁଣି ଅପମାନ), ୧୯୧ (ଦଙ୍ଗା) ଓ ୧୯୨ (ଦଙ୍ଗା ପାଇଁ ଉସୁକାଇବା)ରେ ମାମଲା ରୁଜୁ ହୋଇଛି। ଫରେନ୍ସିକ୍ ଟିମ୍ ପ୍ରମାଣ ସଂଗ୍ରହ କରିଥିବା ବେଳେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।ନସିମଙ୍କ ସାନ ଝିଅଙ୍କ ବିବାହ ନଭେମ୍ବର ୧୪ରେ ହେବାକୁ ଥିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି | ସେପଟେ, ମୃତଦେହରେ ବାହ୍ୟ ଆଘାତର ସ୍ପଷ୍ଟ ଚିହ୍ନ ନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ନିଶ୍ଚିତ ଅପଡେଟ୍ ମିଳିନାହିଁ। ତଦନ୍ତର ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
