Minor Murder Case:ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ, ଜଣେ ନାବାଳକ ଅଟକ
ସାଙ୍ଗଙ୍କ ସହ ଘରୁ ବାହାରିଥିଲେ ଦଶମ ଶ୍ରେଣୀର ଛାତ୍ର, ହେଲେ ଆଉ ଫେରିଲେନି। ମହାନଦୀ ପଠାରୁ ମିଳିଲା ତାଙ୍କ ମୃତଦେହ। ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମକୁ ନେଇ ବିବାଦରୁ ରକ୍ତପାତ ହୋଇଥିବା ସନ୍ଦେହ। ପ୍ରେମ ପାଇଁ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ! ଏହି ରହସ୍ୟମୟ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ଼ ସୁରାଗ।

କଟକ:କଟକର ତଳ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ ପଠାରେ ନାବାଳକ ହତ୍ୟା ଘଟଣାରେ ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ। ମୃତକ ହେଉଛନ୍ତି ରାଜାବଗିଚା ବଢ଼େଇ ସାହିରେ ରହୁଥିବା ୧୫ ବର୍ଷୀୟ ସୁମନ୍ତ କୁମାର ସାହୁ ଓରଫ ମୁନୁ। ସେ ଦଶମ ଶ୍ରେଣୀର ଛାତ୍ର ଥିଲେ। ରବିବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା କିଛି ଲୋକ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ, ଡିସିପି ଋଷିକେଶ ଡି. ଖିଲାରୀ, ବୈଜ୍ଞାନିକ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିଲେ। ମୃତଦେହରେ ଏକାଧିକ ଆଘାତ ଚିହ୍ନ ଥିବା ସହ ବେକରେ ଛୁରି ମାଡ଼ର କ୍ଷତ ଥିବା ରିପୋର୍ଟ ପ୍ରକାଶ ପାଇଛି। ନଦୀପଠାରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତ ଚିହ୍ନ ମଧ୍ୟ ମିଳିଥିଲା।ପୁଲିସର ପ୍ରାଥମିକ ତଦନ୍ତରେ ପ୍ରେମ ସମ୍ପର୍କକୁ ନେଇ ବିବାଦର ସନ୍ଦେହ ଉଠିଛି। ତେବେ ହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ, ଆପଣଙ୍କ ସୂଚନା ଅନୁସାରେ, CCTV ଯାଞ୍ଚରେ ଗୋଟିଏ ଗାଡ଼ିରେ ତିନି ଜଣ ନାବାଳକ ଆସିଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଯାହା ଫଳରେ ହତ୍ୟା କରାଯାଇଥିଲା ସୁମନ୍ତଙ୍କୁ। ମୃତକ ଜଣେ ସ୍କୁଲ ଛାତ୍ର ହୋଇଥିବା ବେଳେ ହତ୍ୟାରେ ସମ୍ପୃକ୍ତ ଥିବା ଦୁଇ ନାବାଳକ କଲେଜ ଛାତ୍ର ବୋଲି ପୋଲିସ ସ୍ପଷ୍ଟ କରିଛି । ଘଟଣା ପରେ ଦୁଇ ଜଣ ଫେରାର ହୋଇଥିବା ବେଳେ ଜଣେ ନାବାଳକକୁ ଅଟକ ରଖାଯାଇ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଥିବା କୁହାଯାଇଛି। ପରିବାରର କହିବା ଅନୁସାରେ, ଘଟଣାର ଦୁଇରୁ ତିନି ଦିନ ପୂର୍ବରୁ ରାତିରେ ଦୁଇ ଜଣ ଘରକୁ ଆସି ସୁମନ୍ତଙ୍କୁ ଖୋଜିଥିଲେ। ତାଙ୍କୁ ନପାଇ ଫେରିଯାଇଥିଲେ। ଏବେ ପୁଲିସ ମୋବାଇଲ୍ କଲ୍ ରେକର୍ଡ, CCTV ଓ ଅନ୍ୟ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରୁଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।
