SPO Murder Case:ନିଖୋଜ SPO ହତ୍ୟା ମାମଲାରେ ବାପ ପୁଅ ଗିରଫ
ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ନିଖୋଜ SPO ବଶୀର ଅହମ୍ମଦଙ୍କ ମୃତଦେହ ଜଙ୍ଗଲର ଏକ ଗାତରୁ ମିଳିବା ପରେ ତଦନ୍ତରେ ନୂଆ ମୋଡ଼ ଆସିଛି। ଏହି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଜମ୍ମୁ-କଶ୍ମୀର:ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ନିଖୋଜ ସ୍ପେଶାଲ୍ ପୋଲିସ ଅଫିସର (SPO) ବଶୀର ଅହମ୍ମଦଙ୍କ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ସମ୍ପର୍କରେ ବାପ-ପୁଅ। ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଏବଂ ମୃତକଙ୍କ ଲୁଚାଇ ରଖାଯାଇଥିବା ସାମଗ୍ରୀ ମଧ୍ୟ ଜବତ ହୋଇଛି। ପୋଲିସ ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖରେ ତ୍ରିଗାମ ପୋଲିସ ପିକେଟ୍ରେ ନିୟୋଜିତ ବଶୀର ଅହମ୍ମଦ ନିଜ ସର୍ଭିସ୍ ରାଇଫଲ୍ ସହ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ପୋଲିସର ଏକାଧିକ ଟିମ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଅକ୍ଟୋବର ୧୬ରେ ତ୍ରିଗାମ ଜଙ୍ଗଲର ସେରନ ୱାନି ଅଞ୍ଚଳରେ ଥିବା ଏକ ନାଳ ନିକଟ ଗାତରୁ ବଶୀରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଅକ୍ଟୋବର ୧୬ ତାରିଖରେ ତ୍ରିଗାମର ସେରନ ୱାନି ଜଙ୍ଗଲ ନିକଟ ଏକ ନାଳର ଗାତରୁ ବଶୀର ଅହମ୍ମଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହତ୍ୟା ପରେ ମୃତଦେହକୁ ଗାତରେ ପୋତି ଦିଆଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ ତାଙ୍କ ସର୍ଭିସ୍ ରାଇଫଲ୍ ମଧ୍ୟ ଜବତ ହୋଇଥିଲା। ଏହି ଘଟଣାରେ କିସ୍ତୱାଡ଼ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଥିଲା।
ତଦନ୍ତ ସମୟରେ ସେରନ ୱାନି ଅଞ୍ଚଳର ବାସିନ୍ଦା ବଶୀର ଅହମ୍ମଦ ଡାର ଓ ନଜିର ଅହମ୍ମଦ ଡାରଙ୍କୁ ସନ୍ଦିଗ୍ଧ ଭାବେ ପୋଲିସ ଚିହ୍ନଟ କରିଥିଲା | ପୋଲିସ ଅନୁସାରେ, ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିବା ସହ ହତ୍ୟା ପଛର ଷଡ଼ଯନ୍ତ୍ର ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନଙ୍କ ସୂଚନା ଆଧାରରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ଲୁଚାଯାଇଥିବା ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ପୁରୁଣା ଜମି ବିବାଦ ସହ ସର୍ଭିସ ରାଇଫଲ ଲୁଟ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିିବାକୁ ପାଇଛି।
