Cyclone Shelter: ବିପଦରେ ବାତ୍ୟା ଆଶ୍ରୟସ୍ଥଳ
ବିପଦସଂକୁଳ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ। ଛାତରୁ ପ୍ଲାଷ୍ଟର ଖସି ଦେଖାଗଲାଣି ରଡ୍, ଆଉ କେଉଁଠି ପିଲରର ଅବସ୍ଥା ଶୋଚନୀୟ। ଜରାଜୀର୍ଣ୍ଣ ଅବସ୍ଥାରେ କଟକ ଜିଲ୍ଲା ସାଲେପୁର ବ୍ଲକ ଓଡାସିଂହ ପଞ୍ଚାୟତର ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ।
ସାଲେପୁର: ବିପଦସଂକୁଳ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ। କେଉଁଠି ଛାତରୁ ପ୍ଲାଷ୍ଟର ଖସି ରଡ୍ ଦେଖାଗଲାଣି, ତ ଆଉ କେଉଁଠି ପିଲରର ଅବସ୍ଥା ଶୋଚନୀୟ। ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ ଓଡାସିଂହ ପଞ୍ଚାୟତର ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ। ଦେଖନ୍ତୁ, କେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ଏହି ଗୃହ। ଛାତରୁ ପ୍ଲାଷ୍ଟର ଖସି ରଡ୍ ବାହାରି ଆସିଲାଣି। ପିଲରର ମଧ୍ୟ ସମାନ ଅବସ୍ଥା। କବାଟ-ଝରକା ନଷ୍ଟ ହୋଇଥିବା ବେଳେ କାନ୍ଥ ଓ ପିଲରରେ ମାଡ଼ିଗଲାଣି ଗଛଲତା। ସବୁଠାରୁ ବଡ଼ କଥା, ଏହି ବିପଦସଂକୁଳ ଗୃହକୁ ଲାଗି ରହିଛି ବିଦ୍ୟାଳୟର ଏକମାତ୍ର ନଳକୂପ। ପ୍ରତିଦିନ ପାଣି ପିଇବା ପାଇଁ ଏଠାକୁ ଆସନ୍ତି ଛାତ୍ରଛାତ୍ରୀ। ଆଉ ସେହି ସମୟରେ ଛାତ ଓ ପିଲରରୁ ପ୍ଲାଷ୍ଟର ଖସିବା ଘଟଣା ଚିନ୍ତା ବଢ଼ାଇଛି। କେବଳ ଓଡାସିଂହ ନୁହେଁ, ଭୀମଦାସପୁର ପଞ୍ଚାୟତ ପ୍ରହରାଜପୁର ପ୍ରାଥମିକ ବିଦ୍ୟାଳୟ ପରିସରର ଚିତ୍ର ମଧ୍ୟ ସମାନ। ଏଠାରେ ମଧ୍ୟ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ। ଏପରିକି ଗୃହ ଭିତରେ ଗୋରୁଗାଈ ବନ୍ଧା ହେଉଥିବା ଦେଖିବାକୁ ମିଳୁଛି। ପାଖରେ ରହିଛି ପ୍ରାଥମିକ ବିଦ୍ୟାଳୟ। ଏଠାରେ ଚଳପ୍ରଚଳ କରୁଥିବା କୁନି କୁନି ପିଲାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ବିଦ୍ୟାଳୟ କମିଟି, ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରୀ ଏବଂ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିବା କୁହାଯାଉଛି। ତେବେ ଏହି ବିପଦସଂକୁଳ ଗୃହଗୁଡ଼ିକୁ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାଲେପୁର ବିଡିଓ ଲୋପାମୁଦ୍ରା ନାୟକ। ତେବେ ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି। କେବେ ହଟିବ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରୁ ଏହି ବିପଦର ଭୟ ତାହାକୁ ଅପେକ୍ଷା।
