Industrial Investment: ଓଡ଼ିଶାରେ ୩୯,୩୮୩ କୋଟିର ଶିଳ୍ପ ନିବେଶ, ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ଓଡ଼ିଶାରେ ୩୯,୩୮୩ କୋଟି ଟଙ୍କାର ଶିଳ୍ପ ନିବେଶରେ ୪୬ଟି ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ। ୧୪ଟି ଜିଲ୍ଲାରେ ସୃଷ୍ଟି ହେବ ୪୨,୫୧୨ ନିଯୁକ୍ତି ସୁଯୋଗ।

ଭୁବନେଶ୍ୱର: ରାଜ୍ୟର ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ବୃହତ୍ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଓ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏହି ଅବସରକୁ ଓଡ଼ିଶାର ଦ୍ୱିତୀୟ ଶିଳ୍ପ ବିପ୍ଳବର ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍ ଓ ଟାଟା ଷ୍ଟିଲ୍ର ବିଭିନ୍ନ ପ୍ରକଳ୍ପ ସହ ଅନ୍ୟ ପ୍ରତିଷ୍ଠିତ ଶିଳ୍ପସଂସ୍ଥାର ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ। ଇସ୍ପାତ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ନିବେଶ କରାଯାଉଛି। ସରକାରଙ୍କ ସୂଚନା ଅନୁଯାୟୀ, ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ଟି ପ୍ରକଳ୍ପର ଶୁଭାରମ୍ଭ କିମ୍ବା ଉଦ୍ଘାଟନ ହୋଇ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ଆସିଛି। ଏହାଦ୍ୱାରା ୨.୪୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗର ପଥ ଖୋଲିଛି। ଆଜିର ପ୍ରକଳ୍ପକୁ ମିଶାଇ ମୋଟ ଶିଳ୍ପ ପ୍ରକଳ୍ପର ନିବେଶ ୩.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସ୍ଥାନୀୟ ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପାଇଁ ବୟନଶିଳ୍ପ, ପୋଷାକ, ଫାର୍ମାସ୍ୟୁଟିକାଲ୍ସ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶ୍ରମଭିତ୍ତିକ ଶିଳ୍ପକୁ ସରକାର ଗୁରୁତ୍ୱ ଦେଉଛନ୍ତି। ସମାରୋହରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଶିଳ୍ପପତିମାନେ ଉପସ୍ଥିତ ଥିଲେ।
