Udala goat thief: ଛେଳି ଚୋରକୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ଉଦଳା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି। କିଛି ମାସ ହେବ ଅଞ୍ଚଳରୁ ବାରମ୍ବାର ଛେଳି ଗାଏବ ହେଉଥିବାେବେଳେ ଟେର ପାଉ ନ ଥିଲେ ମାଲିକ। ଶେଷରେ ଧରାପଡିଛି କୁଖ୍ୟାତ ଛେଳି ଚୋର। ଗ୍ରାମବାସୀ ତାକୁ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସ ଜିମା ଦେଇଛନ୍ତି।

ଉଦଳା: ଉଦଳା ଅଞ୍ଚଳରେ ଗତ କିଛି ମାସ ହେଲା ଲଗାତାର ଭାବେ ଛେଳି ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା। ତେବେ ଗତ ଶନିବାର ମଧ୍ୟରାତି ପରେ ଉଦଳା ମେଣ୍ଢାଖାଇ ଗ୍ରାମର ବିମ୍ବାଧର ପଢିଆଳଙ୍କ ଗୁହାଳରେ ବନ୍ଧା ହୋଇଥିବା ଛେଳିମାନଙ୍କ ଚିତ୍କାର ଶୁଣି ସେ ବାହାରକୁ ଆସିଥିଲେ। ସେହିପରି ଦୁଇ ଜଣ ଯୁବକ ଏକ ବାଇକରେ ଦୁଇଟି ଛେଳି ନେଇ ପଳାଉଥିବାର ସେ ଦେଖିବାକୁ ପାଇଥିଲେ। ତେବେ ଘର ସାମ୍ନା ଗେଟ୍ ରସିରେ ଜୋରରେ ବନ୍ଧା ହୋଇଥିବାରୁ, ରସି ଫିଟାଇ ବାହାରକୁ ଆସିବା ବେଳକୁ ଯୁବକ ଦୁହେଁ ସେଠାରୁ ଫେରାର ହୋଇଯାଇଥିଲେ। ସେହିପରି କିଛି ଦିନ ପୂର୍ବରୁ ଉଦଳା ଅଷ୍ଟଶମ୍ଭୁ ମନ୍ଦିର ନିକଟରେ କିଛି ଛେଳି ଚରୁଥିବା ବେଳେ, ଜଣେ ବ୍ୟକ୍ତି ଗୋଟିଏ ଛେଳିର ମୁହଁ ବାନ୍ଧି ନଟା କଡ଼କୁ ନେଇ ଲୁଚାଇ ରଖିଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଉକ୍ତ ମନ୍ଦିର ନିକଟରେ ଶରତ ଥାନା ନୋଟ ଅଞ୍ଚଳର ରବୀନ୍ଦ୍ର ସିଂ ବେହେରାଙ୍କ ପୁତ୍ର ବିଶ୍ୱନାଥ ବେହେରା ବସୁଥିବା ଏବଂ ଲୋକଙ୍କୁ ଦେଖି ସେଠାରୁ ତରବରିଆ ଭାବେ ପଳାଉଥିବା ନଜର କରି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଗତକାଲି ପୁଣି ଅଞ୍ଚଳରୁ ଆଉ ଏକ ଛେଳି ଚୋରି ହେବା ପରେ ଗ୍ରାମବାସୀ ମିଳିତ ଭାବେ ବିଶ୍ୱନାଥକୁ ଖୋଜାଖୋଜି କରିଥିଲେ। ଶେଷରେ ସେ ଅଞ୍ଚଳର ଏକ ଅଁଳା ଜଙ୍ଗଲରେ ଲୁଚିଥିବା ଜାଣି ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ। କଡ଼ା ପଚରାଉଚରା ପରେ ସେ ଗୋଟିଏ ଛେଳି ଚୋରି କରି ଉଦଳା ଛେଳି ହାଟରେ ୬ ହଜାର ଟଙ୍କାରେ ବିକ୍ରି କରିଥିବା କଥା ମାନିଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ତାକୁ ଉତ୍ତମ ମଧ୍ୟମ ଦେଇ ରାତିରେ ଉଦଳା ଥାନାରେ ଜିମା ଦେଇଛନ୍ତି। ଘଟଣାସ୍ଥଳରେ ଉଦଳା ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।
