Fraud Conceal In Audit:AG ଅଡିଟ୍ରୁ ଧରାପଡ଼ିଲା ହେରଫେର: ରାତିରାତି ଅଭିଯୁକ୍ତ ଅଦୃଶ୍ୟ!
ଢେଙ୍କାନାଳ ବନଖଣ୍ଡରେ ୬୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ! ଏଜି ଅଡିଟ୍ରେ ଖୋଲିଲା ୧୦ ବର୍ଷର ଗୁମର, ଅଭିଯୁକ୍ତ ବରିଷ୍ଠ ସହାୟକ ଗାଏବ |
ସରକାରୀ ଅର୍ଥ ହଡ଼ପ୍ କରି ଢେଙ୍କାନାଳର ବନଖଣ୍ଡ ସିନିୟର୍ କ୍ଲର୍କ ଫେରାର, ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ | ଏଜି ଅଡ଼ିଟ ଦ୍ୱାରା ଦୁର୍ନୀତି ଠାବ । ଅଭିଯୁକ୍ତ ବରିଷ୍ଠ ସହାୟକ ସୁଜିତ କୁମାର ଜେନା ।୨୦୧୬ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ ବିଭାଗରେ ଏରିଅର, ପେନସନ, ଦରମା, ପ୍ରୋଭିଜିନାଲ ସମେତ ବିଭିନ୍ନ ଯୋଜନାରେ ୬୫ଲକ୍ଷ ଟଙ୍କା ହଡପ ହୋଇଛି । ଉକ୍ତ ଟଙ୍କାକୁ ୪ଟି ବ୍ୟାଙ୍କ ଆକାଉଣ୍ଟରେ ପଠାଯାଇଥିବା ଅଭିଯୋଗକୁ ନେଇ ଚାଲିଛି ତନାଘନା । ଦୀର୍ଘ ୧୦ ବର୍ଷ ଧରି ଖୋଦ୍ ଜିଲ୍ଲା ଜଙ୍ଗଲ ବିଭାଗର ମୁଖ୍ୟାଳୟରେ ଏଭଳି ଦୁର୍ନୀତି ଚାଲିଥିବା ସତ୍ତ୍ୱେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ କିପରି ଜାଣିପାରିଲେ ନାହିଁ, ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି | ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ସହାୟକ ଅଭିଯୁକ୍ତ ସୁଜିତ କାର୍ଯ୍ୟାଳୟକୁ ଆସୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସରକାରୀ ଅର୍ଥ ଅନିୟମିତତା ସମ୍ପର୍କରେ ଏଜି ଅଡ଼ିଟ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଥିବା କହିଛନ୍ତି DFO ଲଳିତ କୁମାର ପାତ୍ର । ଏନେଇ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ବେଳେ ରିପୋର୍ଟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି DFO ।
