SEC On Voter Survey:ଭୋଟର ତାଲିକାରେ ତ୍ରୁଟି ସୁଧାରିବେ ରାଜ୍ୟ ନିର୍ବାଚନ କମିଶନ
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା, ତ୍ରୁଟି ସଂଶୋଧନ ଓ ଅଯୋଗ୍ୟଙ୍କ ନାମ ବାଦ୍ ଦେବା ସହ ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ। ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ପଦକ୍ଷେପ ନିଆଯିବ।
ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ, ଜଳସାଥୀ, ସ୍ୱଚ୍ଛସାଥୀ ଓ ଆଶାକର୍ମୀ ଘରକୁ ଘର ବୁଲି ଭୋଟରଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। PEO, BLOଙ୍କ ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ଏହି ପ୍ରକ୍ରିୟାର ତଦାରଖ କରିବେ। ସର୍ଭେ ସମୟରେ ଆବଶ୍ୟକ ତଥ୍ୟ ଓ ପ୍ରମାଣପତ୍ର ଦେଇ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି କମିଶନ। ଏହି ସର୍ଭେରେ ପୂର୍ବରୁ SIR ପ୍ରକ୍ରିୟାରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନେ ପୁନର୍ବାର ନିଜ ନାମ ଯୋଡ଼ିବା ପାଇଁ ଦାବି କରିପାରିବେ। ସେହିପରି ମୃତ, ସ୍ଥାନାନ୍ତରିତ କିମ୍ବା ଅନ୍ୟ କାରଣରୁ ଅଯୋଗ୍ୟ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ନାମ ଯୋଡ଼ିବା ଓ ସଂଶୋଧନ ପାଇଁ ଫର୍ମ ନମ୍ବର ୧୬ ଏବଂ ନାମ ବାଦ୍ ଦେବା ପାଇଁ ଫର୍ମ ନମ୍ବର ୧୭ ଦାଖଲ କରିବାକୁ ପଡ଼ିବ। ସର୍ଭେ ପରେ ଜାନୁଆରୀ ମାସରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିବାକୁ ଯୋଜନା ରହିଛି। ଏହା ପରେ ଆପତ୍ତି ଓ ଅଭିଯୋଗ ପାଇଁ ୨୦ ଦିନ ସମୟ ଦିଆଯିବ। ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ପରେ ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପଟେ, ପଞ୍ଚାୟତ ନିର୍ବାଚନକୁ ସୁବିଧାଜନକ କରିବା ପାଇଁ ପ୍ରତି ୱାର୍ଡରେ ଗୋଟିଏ ମତଦାନ କେନ୍ଦ୍ର ରଖିବାକୁ ଯୋଜନା କରାଯାଉଛି। ବିଧାନସଭା ନିର୍ବାଚନରେ ବ୍ୟବହୃତ ପ୍ରାୟ ୩୯ ହଜାର ବୁଥ୍କୁ ପୁନର୍ବିନ୍ୟାସ କରି ପ୍ରାୟ ୯୧ ହଜାର ବୁଥ୍ରେ ପରିଣତ କରିବାକୁ ଯୋଜନା ରହିଛି। ପୌରାଞ୍ଚଳରେ ପ୍ରାୟ ୬ ହଜାର ବୁଥ୍ ରହିବ। ଆବଶ୍ୟକ ପଡ଼ିଲେ ଅଧିକ ବୁଥ୍ ଖୋଲାଯିବ ବୋଲି ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ । ଏହାଦ୍ୱାରା ଗୋଟିଏ ପରିବାରର ସମସ୍ତ ଭୋଟର ଗୋଟିଏ ବୁଥ୍ରେ ମତଦାନ କରିବାର ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ସହରାଞ୍ଚଳରେ EVM ଏବଂ ଗ୍ରାମାଞ୍ଚଳରେ ବାଲାଟ୍ ପେପର୍ରେ ମତଦାନ କରାଇବାକୁ ଯୋଜନା ରହିଛି।
୨୦୨୫ର ଭୋଟର ତାଲିକା ଆଧାରରେ ୩୦ଟି ଜିଲ୍ଲାରେ ହୋଇଥିବା ପାଇଲଟ୍ ସର୍ଭେରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ, ପ୍ରାୟ ୭.୬୧% ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ତାଲିକାରେ ରହିଥିବା ବେଳେ ୪.୮୭% ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଥିଲା। ଏହି ତ୍ରୁଟି ସଂଶୋଧନ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀଙ୍କ ମୁଖ୍ୟ ଲକ୍ଷ୍ୟ। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନ କରାଇବା ଉପରେ କମିଶନ ଗୁରୁତ୍ୱ ଦେଉଛନ୍ତି।
