Burglary in Broad Daylight : ନିର୍ବାଚନ ଗହଳିରେ ଚୋରଙ୍କ କଳାକନା
କାମାକ୍ଷାନଗର କଲେଜ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ତିନିଟି ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ନଗଦ ୧୬ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। କଲେଜ ନିର୍ବାଚନ ଭିଡ଼ର ସୁଯୋଗ ନେଇ ଚୋରି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଦିନ ଦ୍ୱିପ୍ରହରରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ସମ୍ମୁଖରେ ଥିବା ସସ୍ମିତା ସାହୁଙ୍କ ଘରୁ ନଗଦ ୧୬ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ପରିସରରେ ଥିବା ଅନ୍ୟ ଦୁଇଟି ଘରେ ମଧ୍ୟ ଚୋରି ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ସୂଚନା ଅନୁଯାୟୀ, ପରିବାର ଲୋକେ ଘରେ ନଥିବା ବେଳେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଓ ସିଡ଼ି ବ୍ୟବହାର କରି ଘର ଭିତରକୁ ପଶିଥିଲେ। ଘରେ ଫାଷ୍ଟଫୁଡ୍ ଦୋକାନ ପାଇଁ ରଖାଯାଇଥିବା ୧୬ ହଜାର ଟଙ୍କା ସହ ଗୋଟିଏ ସୁନା ଲକେଟ୍ ଓ ରୂପା ପାଉଁଜି ଲୁଟି ନେଇଥିବା ଅଭିଯୋଗ ହୋଇଛି। କେବଳ ସସ୍ମିତାଙ୍କ ଘର ନୁହେଁ, ପରିସରରେ ରହୁଥିବା ଅନ୍ୟ ଦୁଇଜଣ ଫେରିବାଲାଙ୍କ ଘରର କବାଟ ଭାଙ୍ଗି ମଧ୍ୟ ଚୋରି କରିଛନ୍ତି ଦୁର୍ବୃତ୍ତ । ଅନ୍ୟପକ୍ଷରେ, କଲେଜ ନିର୍ବାଚନକୁ ନେଇ ଅଞ୍ଚଳରେ ଲୋକଙ୍କ ଗହଳି ଲାଗିଥିବାରୁ ଏହାର ସୁଯୋଗ ନେଇ ଚୋରମାନେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟ୍ରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
