Dhamnagar: ଧାମନଗର ଖାନକା ସରିଫର ଦାୟିତ୍ୱ ନେଲେ ସୟଦ ହବିବ ରାଜା
କୋର୍ଟଙ୍କ ନିର୍ଦ୍ଦେଶ ପରେ ଧାମନଗରର ପ୍ରସିଦ୍ଧ ଖାନକା ସରିଫର ସମସ୍ତ ଦାୟିତ୍ୱ ଗ୍ରହଣ କଲେ ସୟଦ ହବିବ ରାଜା ହବିବ। SDPO ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର ପରେ ଖାନକା ପରିସରରେ ଏକତ୍ରିତ ହେଲେ ହଜାର ହଜାର ସମର୍ଥକ ଓ ଶ୍ରଦ୍ଧାଳୁ।
ଧାମନଗରର ପ୍ରସିଦ୍ଧ ଖାନକା ସରିଫର ପରିଚାଳନା ଓ ମତୱଲି ନିଯୁକ୍ତିକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଆଜି ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସୟଦ ହବିବ ରାଜା ହବିବ ଖାନକା ସରିଫର ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଧାମନଗର SDPO ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ନେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଖାନକା ସରିଫର ପରିଚାଳନା ଦାୟିତ୍ୱକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ସୟଦ ହବିବ ରାଜା ହବିବଙ୍କୁ ଖାନକାର ସମସ୍ତ ଦାୟିତ୍ୱ ତୁଲାଇବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। ତେବେ କିଛି ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ସେ ଦାୟିତ୍ୱ ତୁଲାଇବାରେ ବାଧାର ସମ୍ମୁଖୀନ ହୋଇଥିବା ତାଙ୍କ ସମର୍ଥକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ କୋର୍ଟ ଭଦ୍ରକ SP ମନୋଜ ରାଉତଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ଦାୟିତ୍ୱ ହସ୍ତାନ୍ତର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାପରେ ଆଜି ଧାମନଗର SDPO ବିଷ୍ଣୁ ଚରଣ ବାରିକ୍ ଓ IIC ସୁବ୍ରଜିତ୍ ବାରିକଙ୍କ ଉପସ୍ଥିତିରେ ସୟଦ ହବିବ ରାଜା ହବିବ ଖାନକା ସରିଫରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଦାୟିତ୍ୱ ଗ୍ରହଣ ଖବର ପାଇ ହଜାର ହଜାର ସମର୍ଥକ ଓ ଶ୍ରଦ୍ଧାଳୁ ଖାନକା ପରିସରରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ କମିଟି ପକ୍ଷରୁ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।ଆଉ କିଛି ଦିନ ପରେ ଧାମନଗରର ଏହି ପ୍ରସିଦ୍ଧ ଧାର୍ମିକ ପୀଠରେ ଉର୍ଷ ଉତ୍ସବ ପାଳନ ଅବସରରେ ଦେଶର ବିଭିନ୍ନ ସ୍ଥାନ ସମେତ ବିଦେଶରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଆସିବେ। ତେଣୁ ଖାନକାର ପରିଚାଳନାକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିବା ସହ ଶାନ୍ତି ଓ ସଦ୍ଭାବନା ବଜାୟ ରହିବ ବୋଲି ଶ୍ରଦ୍ଧାଳୁ ମହଲରେ ଆଶା ପ୍ରକାଶ ପାଇଛି।
