ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଟ୍ରେଲର୍ ରିଲିଜ୍ ସ୍ଥଗିତ
ଫିଲ୍ମ ରାମାୟଣକୁ ନେଇ ବଡ ଅପଡେଟ୍। ରିଲିଜ ହେଲାନି ‘ରାମାୟଣ’ ଟ୍ରେଲର, ଶେଷ ମୁହୂର୍ତ୍ତରେ ସ୍ଥଗିତ କଲେ ନିର୍ମାତା। ନିରାଶ ହେଲେ ପ୍ରଶଂସକ।
ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିବା ବେଳେ, ଫିଲ୍ମର ପ୍ରଥମ ଟ୍ରେଲରକୁ ନେଇ ଆସିଛି ଆଜି ବଡ଼ ଅପଡେଟ୍। ନିର୍ମାତାଙ୍କ ପକ୍ଷରୁ ଆଜି ଟ୍ରେଲର ରିଲିଜ କରାଯିବ ବୋଲି ଘୋଷଣା କରାଯାଇଥିବାରୁ ଫ୍ୟାନ୍ସଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଥିଲା। ହେଲେ ଶେଷ ମୁହୂର୍ତ୍ତରେ ପ୍ରଶଂସକଙ୍କ ଆଶାରେ ପାଣି ପଡ଼ିଛି। ଫିଲ୍ମର ଟ୍ରେଲର ରିଲିଜକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି। ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଟ୍ରେଲର୍ ସାନ୍ ଡିଏଗୋ କମିକ୍-କନ୍ (San Diego Comic-Con)ରେ ଉନ୍ମୋଚନ ହେବାର କିଛି ଘଣ୍ଟା ପୂର୍ବରୁ ପ୍ରଯୋଜକ ନମିତ ମାଲହୋତ୍ରା ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଟ୍ରେଲରକୁ ପରବର୍ତ୍ତୀ ସମୟରେ ବିଶ୍ୱସ୍ତରରେ ଲଞ୍ଚ କରାଯିବ। ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ନିଜର ନିରାଶା ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦିଓ ନିର୍ମାତା ଆଶ୍ୱାସନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଟ୍ରେଲରର ନୂଆ ରିଲିଜ ତାରିଖ ଘୋଷଣା କରାଯିବ।
କିଛି ଦିନ ପୂର୍ବରୁ ଦିଲ୍ଲୀରେ ଫିଲ୍ମର ସମସ୍ତ କଳାକାର ଓ କ୍ରୁ ସଦସ୍ୟଙ୍କ ଉପସ୍ଥିତିରେ ଟ୍ରେଲରର ଏକ ବିଶେଷ ପ୍ରାଇଭେଟ୍ ପ୍ରିଭ୍ୟୁ ଆୟୋଜିତ ହୋଇଥିଲା। ନମିତ ମାଲହୋତ୍ରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ରାମାୟଣକୁ ବିଶ୍ୱ ଦର୍ଶକଙ୍କ ପାଖକୁ ନେବା ମୋର ସ୍ୱପ୍ନ ଥିଲା। Sony Pictures Entertainment ସହ ଆମର ସହଯୋଗିତା ଏହି ସ୍ୱପ୍ନକୁ ସାକାର କରିଛି। ସେହିପରିସ୍ଥିତିରେ ଟ୍ରେଲର୍ ବିଶ୍ୱସ୍ତରରେ ପରେ ଲଞ୍ଚ କରାଯିବ।” ସେ ଆହୁରି କହିଛନ୍ତି, “ଭାରତୀୟ ସିନେମାର ୧୦୦ ବର୍ଷରୁ ଅଧିକ ଇତିହାସରେ ଏହା ଗର୍ବର ମୁହୂର୍ତ୍ତ ହେବ। ରାମାୟଣକୁ ଏକ ବଡ଼ ହଲିଉଡ୍ ଫିଲ୍ମ ଭଳି ସାରା ବିଶ୍ୱରେ ପ୍ରଦର୍ଶନ କରାଯିବ, ଯାହା ମାଧ୍ୟମରେ ବିଶ୍ୱ ଆମ ସଂସ୍କୃତି ଓ କାହାଣୀକୁ ନୂଆ ଦୃଷ୍ଟିରେ ଜାଣିପାରିବ।”
ତେବେ ୪,୦୦୦ କୋଟି ଟଙ୍କାର ବିଶାଳ ବଜେଟ୍ ରେ ନିର୍ମିତି ଏହି ଫିଲ୍ମ ‘ରାମାୟଣ’ ଭାରତୀୟ ସିନେମା ଇତିହାସର ସବୁଠାରୁ ଦାମୀ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ। ତେବେ ଫିଲ୍ମର ସଙ୍ଗୀତରେ ପ୍ରଥମ ଥର ପାଇଁ ଏଆର୍ ରହମାନ ଓ ଅସ୍କାର ବିଜେତା ହାନ୍ସ ଜିମର୍ ଏକାଠି କାମ କରୁଛନ୍ତି। ରହମାନ କହିଛନ୍ତି, “ରାମାୟଣ ପରି ଏକ ଐତିହାସିକ ଓ ଭାବପ୍ରବଣ କାହାଣୀ ପାଇଁ ସଙ୍ଗୀତ ଦେବା ଆମ ଦୁହିଁଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଭାରତୀୟ ଦର୍ଶକଙ୍କୁ କିଛି ନୂଆ ଦେବା ସହ ବିଶ୍ୱ ଦର୍ଶକଙ୍କ ପାଖରେ ଭାରତର ସଂସ୍କୃତିକୁ ପହଞ୍ଚାଇବା ଆମର ଉଦ୍ଦେଶ୍ୟ।” ଏହି ଫିଲ୍ମରେ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ମା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ, ଏବଂ ରାବଣ ଭୂମିକାରେ ନଜର ଆସିବେ ୟସ୍। ଏମାନଙ୍କ ସମେତ ଏହି ଫିଲ୍ମରେ ସନି ଦେଓଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଅରୁଣ ଗୋଭିଲ, ବିବେକ ଓବେରୟ ମଧ୍ୟ ଏକାଠି ନଜର ଆସିବେ ।
