Anirudh-Kavya Wedding:ଅନିରୁଦ୍ଧଙ୍କ ହାତ ଧରିବେ ସନ୍ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା
ଦକ୍ଷିଣ ଭାରତୀୟ ସିନେମା ଓ କ୍ରିକେଟ୍ ଜଗତର ଦୁଇ ଚର୍ଚ୍ଚିତ ଚେହେରାଙ୍କ ବିବାହ ଏବେ ଚର୍ଚାରେ | ସନ୍ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ଲାଇଫ୍ ପାର୍ଟନର ହେବେ ସାଉଥ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର | ଗ୍ରୀସ୍ରେ ବିବାହ ଏବଂ ଚେନ୍ନାଇରେ ଭବ୍ୟ ରିସେପ୍ସନ୍ ଖବର ମଧ୍ୟରେ ରାଜନୀତିରୁ ସିନେମା ପର୍ଯ୍ୟନ୍ତ ଅତିଥିଙ୍କ ତାଲିକା ଉପରେ ରହିଛି ସମସ୍ତଙ୍କ ନଜର।
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଭଣଜା ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଦଳ ସନ୍ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ବିବାହକୁ ନେଇ ଏବେ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର୍ ଧରିଛି। ଦୁହିଁଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍ରେ ବିବାହ ସମ୍ପର୍କିତ କାର୍ଯ୍ୟକ୍ରମ ହୋଇପାରେ। ଏଥିରେ ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବାର ସୂଚନା ମିଳିଛି। ଏହି ଭବ୍ୟ ଆୟୋଜନର ସମସ୍ତ ପ୍ରସ୍ତୁତି ମାରନ ପରିବାର ନିଜେ ତଦାରଖ କରୁଥିବା କୁହାଯାଉଛି।
‘ୱାଇ ଦିସ୍ କୋଲାଭେରି ଡି’ ଗୀତରୁ ଲୋକପ୍ରିୟତା ପାଇଥିବା ଅନିରୁଦ୍ଧ ଅନେକ ସୁପରହିଟ୍ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି। ସେପଟେ କାବ୍ୟା ସନ୍ ଟିଭି ନେଟୱର୍କର ନିର୍ଦ୍ଦେଶକ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ସହ ଜଡ଼ିତ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଷ୍ଟାଡିୟମ୍ରେ SRHକୁ ଉତ୍ସାହିତ କରିବାଠାରୁ ଆରମ୍ଭ କରି ଖେଳାଳିଙ୍କ ନିଲାମ ପର୍ଯ୍ୟନ୍ତ, କାବ୍ୟାଙ୍କ ଉପସ୍ଥିତି ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏହି ବିବାହ ଖବରକୁ ନେଇ ପ୍ରଶଂସକଙ୍କ ଉତ୍ସାହ ବଢ଼ିଛି। ତେବେ,ନଭେମ୍ବର ୧୧ ଓ ୧୨ ତାରିଖରେ ଗ୍ରୀସ୍ରେ ବିବାହ ଉତ୍ସବ ପରେ ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜନ ହେବା ନେଇ ଚର୍ଚ୍ଚା ହେଉଛି। ଏହି ଅବସରରେ ରାଜନୀତି, ସିନେମା ଓ କ୍ରିକେଟ୍ ଜଗତର ବହୁ ପ୍ରମୁଖ ବ୍ୟକ୍ତି ଯୋଗଦେଇପାରନ୍ତି। କାବ୍ୟାଙ୍କ ପିତା ସନ୍ ଗ୍ରୁପ୍ର ଅଧ୍ୟକ୍ଷ କଳାନିଧି ମାରନ ଓ ମାତା କାବେରୀ ମାରନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀଙ୍କୁ ରିସେପ୍ସନ୍ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ବିବାହ ତାରିଖ ଓ ଆୟୋଜନ ସମ୍ପର୍କରେ ଉଭୟ ପରିବାର ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
